ରାଜ୍ୟବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବ । ରାଜ୍ୟରେ ଶୀଘ୍ର କୋଷ୍ଟାଲ୍ ହାଇୱେ କାମ ଆରମ୍ଭ ହେବ । କୋଷ୍ଟାଲ୍ ହାଇୱେର ୧୬୩ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କଲେ ଭାରତର ଜାତୀୟ ରାଜପଥ ବା ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ । ଏହି ରାସ୍ତା ପାଇଁ ଫେବ୍ରୁଆରୀ ୨୭ ତାରିଖକୁ ଟେଣ୍ଡର ଅବଧିର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି ।
ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ଚାରି ଭାଗରେ ୧୬୩ କିମି ରାସ୍ତା ପାଇଁ ଟେଣ୍ଡର ଆହ୍ୱାନ କରିଥିବା ବେଳେ ଏ ବାବଦରେ ୭୦୪୦ କୋଟିରୁ ଅଧିକ ଖର୍ଚ୍ଚ ହେବ ବୋଲି ଆକଳନ କରିଛନ୍ତି । ବହୁ ବାଦବିବାଦ, ବାରମ୍ୱାର ନକ୍ସା ପରିବର୍ତ୍ତନ ପରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଏହି ୧୬୩ କିଲୋମିଟର ରାସ୍ତା ପାଇଁ ଏପ୍ରିଲରୁ କାମ ଆରମ୍ଭ ହେବ । ପୁରୀରୁ କାକଟପୁର ୪୨ କିଲୋମିଟର୍ରେ ୪ ଲେନ୍ ବିଶିଷ୍ଟ କୋଷ୍ଟାଲ୍ ହାଓୱେ ନିର୍ମାଣ ବାବଦରେ ୧୫୯୨.୯୫ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି କାକଟପୁରରୁ ଏରସମା ପର୍ଯ୍ୟନ୍ତ ୪୭.୬୦୦ କିମିରେ ୨୨୦୧.୧୭ କୋଟି ଟଙ୍କା, ଏରସମାରୁ ପାରାଦୀପ ୨୬.୨୦୦ କିମି ପାଇଁ ୧୩୭୦.୪୧ କୋଟି ଓ ରାମେଶ୍ୱରରୁ ପୁରୀ ୪୭.୩୪୦ କିମି ପାଇଁ ୧୮୭୫.୯୦ କୋଟିର ଆକଳନ କରାଯାଇଛି । ରାମେଶ୍ୱରରୁ ପୁରୀ ଟେଣ୍ଡର ଆବେଦନର ଶେଷ ଦିବସ ୨୪ ତାରିଖ ଥିବା ବେଳେ ଅନ୍ୟ ୩ଟି ପ୍ରକଳ୍ପ ପାଇଁ ୨୭ ତାରିଖ ଶେଷ ଦିବସ ରହିଛି । ୯ ବର୍ଷ ତଳେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଏନେଇ ଘୋଷଣା କରିଥିଲେ । ପ୍ରଥମେ ଉପକୂଳ ରାଜପଥ ପ୍ରକଳ୍ପ ପ୍ରାୟ ୪୪୦ କିମି ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ଯିବାର ଥିଲା । କିନ୍ତୁ ଏକ୍ସପର୍ଟ ଆପ୍ରାଇଜାଲ୍ କମିଟି(ଇଏସି) ଚିଲିକା, ବାଲୁଖଣ୍ଡ ଓ ଭିତରକନିକାଠାରୁ ଦୂରରେ ରାଜପଥ ତିଆରି କରିବାକୁ ପରାମର୍ଶ ଦେଇଥିଲେ । ପରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀଠାରୁ ବାହାରି ରତନପୁର ଦେଇ ଦୀଘା ପର୍ଯ୍ୟନ୍ତ (୩୮୨ କିମି) ଉପକୂଳ ରାଜପଥ ହେବା ପାଇଁ ସ୍ଥିର ହୋଇଥିଲା । ହେଲେ ଜଗତସିଂହପୁର ଜିଲ୍ଲାରେ ସମୁଦ୍ରଠାରୁ ପ୍ରାୟ ୨୫ କିମି ଦୂରରେ ରାଜପଥ ନିଆଯିବାକୁ ନେଇ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଫଳରେ ଟେଣ୍ଡରକୁ
ବାତିଲ କରାଯାଇଥିଲା । ଏବେ ତ୍ରୁଟିକୁ ସୁଧାରି ନୂଆ ନକ୍ସା ତିଆରି ହୋଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେଇ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅପଣ୍ଡରା ପଞ୍ଚାୟତର ପାଦରୁଆଁ ଗାଁ ଏବଂ ଏହାପରେ ନଲରା, ତାଳଗାଁ, ବରଦିଆ, ତେନ୍ତୁଲିବେଲାରୀ ଦେଇ ଉପକୂଳ ରାଜପଥ ଆଗକୁ ଯାଇଛି ।
ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଏ ନେଇ ଜନଶୁଣାଣି ସରିଛି । ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲା ବଡ଼ପୋଖରୀଆରୁ କେନ୍ଦ୍ରାପଡ଼ା ଜିଲ୍ଲା ମଶାକଣୀ ପର୍ଯ୍ୟନ୍ତ ମୋଟ ୧୬୩ କିଲାମିଟର ରାସ୍ତା ହେବ । ପରେ ଦ୍ୱିତୀୟ ପର୍ଯ୍ୟାୟ ରାସ୍ତା କେନ୍ଦ୍ରାପଡ଼ା ଖଦଳସାହିରୁ ଦୀଘା ପର୍ଯ୍ୟନ୍ତ ପ୍ରାୟ ୧୭୧ କିମି ନିର୍ମାଣ ହେବ । ଏଥିପାଇଁ ବ୍ୟୟ ଅଟକଳ ହୋଇନାହିଁ । ପରିବେଶ ମଞ୍ଜୁରି ମଧ୍ୟ ମିଳିନାହିଁ । ଏଥିଲାଗି ପ୍ରାୟ ୧ ବର୍ଷ ଲାଗିବ ବୋଲି ସୂଚନା ମିଳିଛି । ଏ ସମ୍ପର୍କରେ ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଓଡ଼ିଶାରେ ଭାରତମାଳା ପରିଯୋଜନା ଅନ୍ତର୍ଗତ ରାମେଶ୍ୱରରୁ ପାରାଦୀପର ରତନପୁର ପର୍ଯ୍ୟନ୍ତ କୋଷ୍ଟାଲ୍ ହାଇୱେ ପ୍ରଥମ ପର୍ଯ୍ୟାୟର କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ । ପୂର୍ବରୁ ଏଥିରେ ସନ୍ଦେହ ରହିଥିଲା । ମାତ୍ର ଡବଲ ଇଞ୍ଜିନ ସରକାର ଆସିବା ପରେ ଏହି କାର୍ଯ୍ୟ ସୁନିଶ୍ଚିତ ଆରମ୍ଭ ହେବ । ଏହାଦ୍ୱାରା ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ରିଲିଫ ଅପରେସନ ତ୍ୱରାନ୍ୱିତ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।