Odia News Portal

ରାତି ପାହିଲେ ରତ୍ନଭଣ୍ଡାର ମରାମତି କାମ, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ତି ପାହିଲେ ଆରମ୍ଭ ହେବ ବହୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ନୀତିନିର୍ଘଣ୍ଟ ଅନୁସାରେ ରାତ୍ର ୨ଟାରୁ ଦ୍ୱାର ଫିଟିବ। ଦ୍ୱିପହର ଧୂପ ଓ ଦ୍ୱିତୀୟ ଭୋଗମଣ୍ଡପ ଶେଷ ପରେ ଦିନ ପ୍ରାୟ ୧୨ଟା ୩୦ ବା ୧ଟାରୁ ଆରମ୍ଭ ହେବ ମରାମତି। ପାଞ୍ଚଘଣ୍ଟା ଧରି ମରାମତି କାର୍ଯ୍ୟ କରାଯିବ। ତେବେ ଜିପିଆର ଓ ଜିପିଆରଏସ ସର୍ଭେରେ ଚିହ୍ନଟ ହୋଇଥିବା ରତ୍ନଭଣ୍ଡାରର କାନ୍ଥ ଏବଂ ଚଟାଣରେ ମରାମତି କରାଯିବ। ସେପଟେ ପହିଲି ଭୋଗ ନୀତି ଆରମ୍ଭରୁ ଶ୍ରୀମନ୍ଦିର ପ୍ରଶାସନ ଓ ସେବକ ଭିତରେ ସମନ୍ବୟ ଦେଖିବାକୁ ମିଳିଛି। ଭକ୍ତ ଭାବର ସହ ଅପେକ୍ଷା କରିଛନ୍ତି ରତ୍ନଭଣ୍ଡାରର ମରାମତି ଶେଷ କରିବା ପାଇଁ।

ସେପ୍ଟେମ୍ବର ୨୧ ଓ ୨୨ରେ NGRI ଓ ଏ ଏସ ଆଇ ପକ୍ଷରୁ କରାଯାଇଥିବା ଜି ପି ଆର ସର୍ଭେ ରିପୋର୍ଟ ଆଧାରରେ ଅଭିଜ୍ଞ ଶିଳ୍ପୀଙ୍କ ଦ୍ବାରା ମରାମତି କରାଯିବ। ଏ ଏସ୍ ଆଇର ସଂରକ୍ଷଣ, ରସାୟନିକ ବିଭାଗ ଆଦିର ବରିଷ୍ଠ ବିଶେଷଜ୍ଞଙ୍କ ଉପସ୍ଥିତିରେ ମରାମତି କରାଯିଵ। ରତ୍ନଭଣ୍ଡାର ମରାମତି ସମୟରେ କେବଳ ପରିଚୟ ପତ୍ର ପାଇଥିବା ବ୍ୟକ୍ତି ବିଶେଷ ଯାଇପାରିବେ । ମରାମତି ସମୟରେ ଡାକ୍ତରୀ ଟିମ, ଅଗ୍ନିଶମ କର୍ମଚାରୀ ଏବଂ ASIର ସ୍ୱତନ୍ତ୍ର ଟିମ ଉପସ୍ଥିତ ରହି କାର୍ଯ୍ୟ କରିବେ l ରତ୍ନଭଣ୍ଡାର ମରାମତି ସମୟରେ ଏ ଏସ୍ ଆଇ ପକ୍ଷରୁ କାମ କରୁଥିବା ଶ୍ରମିକ ଓ ଅଧିକାରୀଙ୍କୁ ପରିଚୟ ପତ୍ର ଦିଆଯିବ । ସେମାନେ ପରିଚୟ ପତ୍ର ଦେଖାଇ ଭିତରକୁ ପ୍ରବେଶ କରି କାମ କରିବେ। ନୀତିକାନ୍ତି ଯେପରି ପ୍ରଭାବିତ ହେବନାହିଁ ଓ ଦର୍ଶନ ଶୃଙ୍ଖଳିତ ହେବ, ତା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ପ୍ରତିଦିନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଭିତରେ ରତ୍ନଭଣ୍ଡାରର ମରାମତି କରାଯିବ ବୋଲି କହିଛନ୍ତି ପୁରୀ ଏସ୍ ପି ।