ଇସ୍ପାତ ସହରରେ ୧୬ ଦଫା ଦାବିରେ ଗର୍ଜିଲେ ଚାଷୀ । ବିଶାଳ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳ ଅଫିସ ଘେରାଓ। ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ୩୫୦୦ ଟଙ୍କାକୁ ବୃଦ୍ଧି, ସମସ୍ତ ଚାଷୀଙ୍କ କୃଷି ଋଣ ଛାଡ଼, ମଣ୍ଡିରେ କଟନି ଛଟନିକୁ ବନ୍ଦ କରାଯାଉ, କୃଷି ଜାତ ଦ୍ରବ୍ୟ, କୃଷି ଯନ୍ତ୍ରପାତି ଓ କୃଷି ଉତ୍ପାଦନ ସାମଗ୍ରୀ ଉପରୁ ଜିଏସଟି ପ୍ରତ୍ୟାହାର ସହ ଚାଷୀଙ୍କୁ ରିହାତି ମୂଲ୍ୟରେ ଯୋଗେଇ ଦିଆଯାଉ। ଏମିତି ଦାବି କରି ଆଜି ଅଖିଳ ଭାରତ କୃଷକ ସଭା ତରଫରୁ ଶହଶହ ସଂଖ୍ୟାରେ ମହିଳା ଓ ପୁରୁଷ ଚାଷୀ ଉଦିତନଗର ମ୍ୟୁନିସିପାଲିଟି ଅଫିସରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଛନ୍ତି । ପାନପୋଷ ଉପଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଏପଟେ ଚାଷୀଙ୍କ ପ୍ରତିବାଦ ପରେ ଉଦଘାଟନ ହେଲା ଧାନ ମଣ୍ଡି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ ବିଭିନ୍ନ ଅଞ୍ଚଳରେ ୭ଟି ଧାନ ମଣ୍ଡି ଖୋଲାଯିବ। ଏହି ବ୍ଲକରୁ ପ୍ରାୟ ୧ ଲକ୍ଷ ୧୨ ହଜାର କ୍ୱିଣ୍ଟାଲ ଧାନ କିଣିବା ଟାର୍ଗେଟ ରହିଛି। କଟନିଛଟନି କରାଯିବ ନାହିଁ। ଏଫଏକ୍ୟୁ ମାନର ଧାନ କିଣାଯିବ। ଅନ୍ୟପଟେ ଆଜି ପ୍ରଶାସନ ପକ୍ଷରୁ କୌଣସି ମିଲରକୁ ଧାନ ଦିଆଯିବ ତାହା ସ୍ଥିର ହୋଇନାହିଁ ତେଣୁ ଆଜି ଚାଷୀ ଧାନ ବିକି ପାରିନାହାନ୍ତି । ଆଗାମୀ ଦିନରେ ଧାନ କିଣିବୁ ବୋଲି କହିଛନ୍ତି ସ୍ଥାନୀୟ ତହସିଲଦାର। ଆଜି ପ୍ରଶାସନ ପକ୍ଷରୁ ଧାନ ମଣ୍ଡି ନାମକୁ ମାତ୍ର ଖୋଲାଗଲା। କିନ୍ତୁ ଗୋଟିଏ କିଲୋ ମଧ୍ୟ ଧାନ କିଣା ଗଲାନାହିଁ। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ। ଆରଏମସି ୟାର୍ଡରେ ଧାନ ପଡିଛି କିନ୍ତୁ ପ୍ରଶାସନ ଧାନ ନକିଣିବା ଦୁର୍ଭାଗ୍ୟର କଥା ବୋଲି କହିଛନ୍ତି ଚାଷୀ ।