Odia News Portal

ପୁଣି ଆତଙ୍କୀ ପନ୍ନୁର ଟାର୍ଗେଟ୍, ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଚେତାବନୀ

ଭୁବନେଶ୍ୱରରେ ଚାଲିଥିବା DGP କନଫରେନ୍ସକୁ ପୁଣି ଖଲିସ୍ତାନୀ ଆତଙ୍କୀ ପନ୍ନୁର ଟାର୍ଗେଟ । ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଦେଇଛି ଧମକ ପୂର୍ଣ୍ଣ ଇ-ମେଲ୍ । ଅଡ଼ିଓ ମେସେଜରେ ଭୁବନେଶ୍ୱର ଏୟାରପୋର୍ଟକୁ ଟାର୍ଗେଟ । ଆସନ୍ତକାଲି ଭୁବନେଶ୍ୱର ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଚେତାବନୀ । ଖଲିସ୍ତାନୀ ପତାକା ଉଡ଼ାଇଲେ ୨୫ ଲକ୍ଷର ପୁରସ୍କାର ଘୋଷଣା ।

ଆତଙ୍କୀ ପନ୍ନୁ ପାଇଁ ଓଡ଼ିଶାରେ କିଏ କରୁଛି କାମ । ପନ୍ନୁ ପଠାଉଥିବା ଧମକପୂର୍ଣ୍ଣ ମେସେଜରେ ଓଡ଼ିଆରେ ଲେଖାକୁ ନେଇ ବଢ଼ିଲା ସଂଦେହ । ପନ୍ନୁ ପାଇଁ ସ୍ଲିପର ସେଲ ଭାବେ ଓଡ଼ିଶାରେ କିଏ ? ଖଲିସ୍ତାନୀ ଆତଙ୍କୀ ପନ୍ନୁ ଦେଇଥିବା ଧମକପୂର୍ଣ୍ଣ ମେସେଜରେ ଓଡ଼ିଆରେ ଥମ୍ବନେଲ୍ ଲେଖାଯାଇଛି । ପନ୍ନୁର ଅଡ଼ିଓକୁ ଓଡ଼ିଆରେ ଅନୁବାଦ କରାଯାଇଛି । ରାଜ୍ୟରେ ଖଲିସ୍ତାନୀ ଆତଙ୍କୀଙ୍କ ସ୍ଲିପର ସେଲ ଚାଲିଛି କି ? ଏହି ସଂଦେହ ଏବେ ଦୃଢିଭୂତ ହୋଇଛି । ଘଟଣାର ଖୋଳତାଡ଼ ହେଲେ କେଉଁଠୁ ଆସିଛି ଏହି ଧମକପୂର୍ଣ୍ଣ ଇ-ମେଲ, ଏହା ପଛରେ କିଏ ସମସ୍ତ ଘଟଣା ପଦାକୁ ଆସିବ ।

ଗତ କିଛିଦିନ ତଳେ ମଧ୍ୟ ଭୁବନେଶ୍ୱରକୁ ଧମକ ଦେଇଥିଲା ପନ୍ନୁ । ଭୁବନେଶ୍ୱରରେ ତିନି ଦିନିଆ ସମ୍ମିଳନୀ ଡିଜି ସମ୍ମିଳନୀ ଚାଲିଥିବା ବେଳେ ଏଥିରେ ବ୍ୟାଘାତ ସୃଷ୍ଟି କରିବାକୁ ଖଲିସ୍ତାନୀ ଆତଙ୍କୀ ଗୁରୁୱନ୍ତ ସିଂ ପନ୍ନୁ ଧମକ ଦେଇଥିଲା । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଶିଖ୍ ଫର୍ ଜଷ୍ଟିସ ସଂଗଠନର ବିଚ୍ଛିନ୍ନତାବାଦୀ ନେତା ପନ୍ନୁ ଏନେଇ ଭିଡିଓ ବାର୍ତ୍ତା ଜାରି କରିଥିବା କୁହାଯାଉଛି ।

ସେପଟେ ରାଜ୍ୟ ରାଜଧାନୀରେ ପୋଲିସ ମହାନିର୍ଦ୍ଦେଶକଙ୍କ ମହାମେଳି । ଲୋକସେବା ଭବନରେ ଚାଲିଥିବା ଡିଜିପି ସମ୍ମିଳନୀର ଆଜି ଦ୍ୱିତୀୟ ଦିନ । ଆଜି ଏହି କନଫରେନ୍ସରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜନେସ ସେସନ, ବ୍ରେକ ଆଉଟ୍ ସେସନ, ଥିମାଟିକ୍ ଡାଇନିଂ ଟେବୁଲ ସେସନର ଅଭିନବ ବ୍ୟବସ୍ଥା କରାଯାଇଛି ।