Odia News Portal

ଦିଲ୍ଲୀରେ ବସିବ ମାଓ ମୁକାବିଲା ବୈଠକ

ସୋମବାର ୮ଟି ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏଥିରେ ଅଧ୍ୟକ୍ଷତା କରିବେ । ବୈଠକରେ ବିଭିନ୍ନ ରାଜ୍ୟରେ ଚାଲିଥିବା ନକ୍ସଲ ଦମନ ଅଭିଯାନ ଓ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହେବ । ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏହି ବୈଠକରେ ଯୋଗଦେବେ।

ସେହିଭଳି ବୈଠକରେ ୫ କେନ୍ଦ୍ରମନ୍ତ୍ରୀ, ଡେପୁଟି ଏନ୍ଏସ୍ଏ, କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ବୈଠକ ପୂର୍ବରୁ ଆଜି ଶାହ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ମାଓ ମୁକାବିଲା ନେଇ ଆଲୋଚନା କରିଛନ୍ତି । ଛତିଶଗଡରେ ସୁରକ୍ଷା ବାହିନୀ ଗୁଳିରେ ୩୬ ଜଣ ମାଓବାଦୀ ନିହତ ହେବା ଘଟଣାକୁ ନେଇ ଶାହ ଏହି ଅପରେସନରେ ସାମିଲ ରାଜ୍ୟ ପୁଲିସ ଓ କେନ୍ଦ୍ରୀୟ ବାହିନୀର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।