Odia News Portal

ବିଜେପିକୁ ବିଜେଡିର ପାଲଟା ଆକ୍ରମଣ

ନିର୍ବାଚନ ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କଠୁ ଆରମ୍ଭ କରି ଭି.କେ ପାଣ୍ଡିଆନ୍‌, ପ୍ରଣବପ୍ରକାଶ ଦାସ(ବବି)ଙ୍କ ବିରୋଧରେ ଗପୁଥିବା ବିଜେପି ଏବେ ପୁରା ଚୁପ୍‌। ଚାରିମାସ ହେଲା ସରକାରକୁ ଆସିବା ପରେ ବିଜେଡିର ଜଣେ ହେଲେ ନେତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଏଯାଏଁ ସଫଳ ହୋଇନାହିଁ। ଫଳରେ ବିଜେଡି ଏବେ ପାଲଟା ଆକ୍ରମଣ କରିବା ଆରମ୍ଭ କରିଦେଇଛି। ଏପରିକି ବିଜେପିକୁ ଖୋଲା ଚ୍ୟାଲେଞ୍ଜ ମଧ୍ୟ ଦେଇଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମରେ ବିଜେଡି ପାଲଟା ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି।

ନିର୍ବାଚନ ପରେ କେତେକ ସ୍ଥାନରେ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ପଦାକୁ ଆସିଛି। କିଛି ନେତା ବି ଦଳ ବିରୋଧରେ ବିଶୋଦଗାର କରୁଛନ୍ତି। ଦୁଇଜଣ ସାଂସଦଙ୍କ ସମେତ କେତେକ ନେତା ବିଜେପିକୁ ଯାଇଛନ୍ତି। ହେଲେ ଏସବୁ ନେଇ ବିଜେଡି ଯେତିକି ଚାପରେ ରହିବା କଥା ଓ ବିଜେପି ପ୍ରତି ଯେଉଁ ଭୟ ଆସିବା କଥା ତାହା ଦେଖାଯାଉ ନାହିଁ । ବରଂ ପାଲଟା ଆକ୍ରମଣ ବିଜେଡି ଜୋରଦାର୍ କରିବା ଆରମ୍ଭ କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖୋଲା ଖୋଲି ଭାବେ ବିଜେପି ବିରୋଧରେ ଯିବା ପାଇଁ ସାଧାରଣ ସଭାରେ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଉଛନ୍ତି। ବିଜେପି ମିଛ କହି କ୍ଷମତାକୁ ଆସିଥିବା କଥା ଲୋକଙ୍କୁ ଜଣାଇବା ନବୀନ ବାରମ୍ବାର ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ନେତା ଓ କର୍ମୀମାନଙ୍କୁ କହି ଚାଲିଛନ୍ତି। ପଞ୍ଚାୟତ ନିର୍ବାଚନ ଆଳରେ ବିଭିନ୍ନ ଜିଲ୍ଲାର ନେତାମାନଙ୍କୁ ବୈଠକ ଡ଼ାକି ଅସନ୍ତୋଷ ପ୍ରସମନ କରିବା ପାଇଁ ସୁପ୍ରିମୋ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ବିଜେଡି କ୍ରମେ ସଂଗଠିତ ହେବା ଓ ଦଳୀୟ କର୍ମୀମାନଙ୍କୁ ଏକାଠି କରିବା ପାଇଁ ପ୍ରୟାସ ଚଳାଇଛି।

କ୍ଷମତାକୁ ଆସିବାର ୧୦୦ ଦିନ ବିତି ଯାଇଥିଲେ ବି ବିଜେପି ଏଯାଏଁ ବିଜେଡିର କୌଣସି ନେତାଙ୍କ ବିରୋଧରେ ସେପରି କାର୍ଯ୍ୟାନୁଷ୍ଠାନ ଆରମ୍ଭ ନ କରିବା ନେଇ ସନ୍ଦେହ ଦେଖାଦେଇଛି। ଏବେ ଲୋକଙ୍କ ମନରେ ବିଜେପି ପ୍ରତି ସନ୍ଦେହ ସୃଷ୍ଟି ହେବା ଆରମ୍ଭ ହୋଇଛି। ବିଜେପି ବିରୋଧରେ ସାମାଜିକ ଗଣମାଧ୍ୟମରେ କିଛି ପ୍ରସଙ୍ଗ ଆସିଲେ ତାହାର ଯେପରି ଭାବରେ ପ୍ରଚାର ପ୍ରସାର ହେଉଛି ବିଜେଡି ବିରୋଧରେ ଅଭିଯୋଗ ଆସିଲେ ସେପରି ଦେଖାଯାଉ ନାହିଁ। ଏହା ପଛରେ ବିଜେପି ହିଁ ଦାୟୀ ବୋଲି କୁହାଯାଉଛି। କାରଣ ନିର୍ବାଚନ ସମୟରେ ବିଜେପି ସୁପ୍ରିମୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଅମିତ ଶାହ ଓ ରାଜ୍ୟ ନେତାମାନେ ବିଜେଡି ନେତାମାନଙ୍କ ବିରୋଧରେ ଅନେକ ବିଶୋଦଗାର କରିଥିଲେ ଓ ସେମାନଙ୍କ ଦୁର୍ନୀତି ଘଟଣା ଲୋକଙ୍କ ଆଗରେ ବଖାଣି ଥିଲେ। କ୍ଷମତାକୁ ଆସିଲେ ସେହି ନେତାମାନଙ୍କୁ ଜେଲ୍ ଭିତରେ ଭରିବେ ବୋଲି ଲୋକଙ୍କୁ ବିଶ୍ୱାସ ଦେଇଥିଲେ। ଏତେଦିନ ସରକାରରେ ଆସିବା ପରେ ବିଜେଡି ନେତାଙ୍କୁ ଧରିଲା ଭଳି ଏ ପର୍ଯ୍ୟନ୍ତ କୌଣସି ସେପରି ଦୁର୍ନୀତି ଘଟଣା ପଦାକୁ ଆଣିବାରେ ବିଜେପି ସକ୍ଷମ ହୋଇ ନାହିଁ। ଅନ୍ୟପଟରେ ବିଜେଡି ପାଲଟା ଅଭିଯୋଗ ବିଜେପି ବିରୋଧରେ ଆଣିବାରେ ଲାଗିଛି।

ଯେଉଁ ବବି ଦାସଙ୍କୁ ଜେଲ୍‌ରେ ଭରିବା ପାଇଁ ବିଜେପି ସେତେବେଳେ ଘୋଷଣା କରିଥିଲା ଏବେ ସେ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି। ବୁଧବାର ଅକ୍ଟୋବର ଗାନ୍ଧୀ ଜୟନ୍ତୀରୁ ବିଜେଡିର ଯେଉଁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ହୋଇଛି ସେଥିରେ ନିଜ ଅଞ୍ଚଳରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରେ ବବି ଦାସ ବିଜେପି ସରକାରଙ୍କୁ ପାଲଟା ଚ୍ୟାଲେଞ୍ଜ ଦେବା ସହ ପରିହାସ ମଧ୍ୟ କରିଛନ୍ତି। ଖୋଲା ଖୋଲି ଭାବେ ସେ କହିଛନ୍ତି ଯଦି ଦୁର୍ନୀତି କରିଛି ଚାରି ମାସ ହେଲା ସରକାରକୁ ଆସିଲଣି ତାଙ୍କୁ ଏ ଯାଏଁ ବାନ୍ଧିପାରି ନାହାଁନ୍ତି କାହିଁକି? ଏପରିକି ବବି ଦାସଙ୍କୁ ଯେଉଁ ସରକାରୀ ଘର ଦିଆଯାଇଥିଲା ସେଥିରେ ଅଣ୍ଡର ଗ୍ରାଉଣ୍ଡ ଘର ନେଇ ବହୁ ହୋ ହଲ୍ଲା ହେଲା। ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କୁହାଗଲା। ହେଲେ କିଛି ବି କରାଗଲା ନାହିଁ। ବ୍ଲାକ୍ ରୋଜ୍ ଘଟଣା ଉଠାଇଲେ। ସେଥିରେ ବି କିଛି କରାଯାଇ ପାରିଲା ନାହିଁ। ବିଜେପି ନେତାମାନେ କେବଳ ଗଣମାଧ୍ୟମକୁ ଭାଷଣ ଦେବା ବ୍ୟତିତ ବାସ୍ତବାରେ ବିଜେଡିର ଦୁର୍ନୀତି ପଦାକୁ ଆଣିବା ନେଇ ଏଯାଏଁ ସଫଳ ହୋଇ ପାରି ନାହାଁନ୍ତି। ଯାହା ଫଳରେ କି ବବି ପୁଣି ନିର୍ବାଚନ ଲଢ଼ିବା ପାଇଁ ଯୋଜନା କରୁଥିବା କଥା କହିଛନ୍ତି। ଯାଜପୁର ବିଜେଡି ବିଧାୟିକା ସୁଜାତା ସାହୁଙ୍କ ଆସନରେ ଉପ-ନିର୍ବାଚନ ଲଢ଼ିବା ନେଇ ବବି ସୂଚନା ଦେବାକୁ ପଛାଇ ନାହାଁନ୍ତି।

ପ୍ରଥମେ ନିର୍ବାଚନରେ ବିଜେଡି ହାରିବା ପରେ ବବି କିଛିଦିନ ନିରବରେ ବସିଥିଲେ। ଦଳୀୟ କାର୍ଯ୍ୟାଳୟରେ ତାଙ୍କୁ କିଛି ଯୁବ ଓ ଛାତ୍ରନେତା ବିରୋଧ କରିଥିଲେ। ଏବେ ଦେଖାଯାଉଛି ବବି କ୍ରମେ ସାଂଗଠନିକ କାର୍ଯ୍ୟରେ ମୁଣ୍ଡ ପୁରାଇବା ଆରମ୍ଭ କରିଛନ୍ତି। ଦଳ ତାଙ୍କୁ ଆଉ କୌଣସି ପଦପଦବୀରେ ରଖି ନଥିଲେ ବି ଏବେ ତାଙ୍କୁ ଦଳୀୟ କାର୍ଯ୍ୟାଳୟକୁ ଆସିବା ଦେଖାଯାଉଛି। ସାଧାରଣ ସଭାକୁ ଆସି ନିଜ ଅଞ୍ଚଳରେ ତାଙ୍କର ଉପସ୍ଥିତ ଜାହିର କରିବା ସହ ବିରୋଧୀ ପକ୍ଷଙ୍କୁ ପାଲଟା ଜବାବ ଦେଉଛନ୍ତି।

ବିଜେଡିର ଦୁର୍ନୀତି ବିରୋଧରେ କୌଣସି ଆଖି ଦୃଶିଆ ପଦକ୍ଷେପ ଲୋକଲୋଚନକୁ ନ ଆଣିବା ଫଳରେ ବିଜେପି ପ୍ରତି ସନ୍ଦେହ ଲୋକଙ୍କ ମନରେ ଯେଉଁ ଦାନା ବାନ୍ଧିବା ଆରମ୍ଭ କରିଛି ତାହା ଜାରି ରହିଲେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ସରକାରଙ୍କୁ ବହୁ ମହଙ୍ଗା ପଡ଼ିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି।