ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆସନ୍ତା ରବିବାର ମୟୂରଭଞ୍ଜ ଗସ୍ତରେ ଯିବେ । ଜିଲ୍ଲା ସଦର ମହକୁମା ବାରିପଦା ଛଉ ପଡିଆ ଠାରେ ଆଗାମୀ ୨୨ରୁ ୨୪ ତାରିଖ ପର୍ୟ୍ୟନ୍ତ ରାଜ୍ୟ ସରକାରଙ୍କର ୧୦୦ ଦିନ ପୂର୍ତ୍ତି ଅବସରରେ ଆୟୋଜିତ ବିକାଶ ମେଳାକୁ ମୁଖ୍ୟମନ୍ତ୍ରୀ ୨୨ ତାରିଖ ଅପରାହ୍ନରେ ଉଦଘାଟନ କରିବେ । ଏଥି ସହିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେବାର କାର୍ୟ୍ୟକ୍ରମ ସ୍ଥିରୀକୃତ ହୋଇଛି । ଏ ନେଇ ଜିଲ୍ଲାପାଳ ହେମକାନ୍ତ ସାୟ ତାଙ୍କ ଏକସ୍ ହ୍ୟଣ୍ଡଲରେ ଟୁଇଟ୍ କରିଛନ୍ତି । ଛଉ ପଡ଼ିଆରେ ହେବାକୁଥିବା ବିକାଶ ମେଳା ୨୨ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ ପର୍ୟ୍ୟନ୍ତ ଚାଲିବ । ଏହି ତିନି ଦିନରେ ସମସ୍ତ ବିଭାଗୀୟ ଉନ୍ନତିମୂଳକ କାର୍ୟ୍ୟର ପ୍ରଦର୍ଶନୀ ହେବା ସହିତ ବିଭିନ୍ନ ସାଂସ୍କୃତିକ ଏବଂ ରଙ୍ଗାରଙ୍ଗ କାର୍ୟ୍ୟକ୍ରମମାନ ଅନୁଷ୍ଠିତ ହେବ ।