Odia News Portal

ପଦ୍ମ ଧରିଲେ ସୁଜିତ କୁମାର

ବିଜେପିରେ ମିଶିଲେ ସୁଜିତ କୁମାର । ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସୁଜିତ କୁମାର ବିଧିବଦ୍ଧଭାବେ ବିଜେପିରେ ମିଶିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଭର୍ତ୍ତୃହରି ମହାତାବଙ୍କ ଉପସ୍ଥିତିରେ ସୁଜିତ କୁମାର ପଦ୍ମ ଧରିଛନ୍ତି । ଏହି ଅବସରରେ ବିଜେପିର ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂ ତୋମର ମଧ୍ୟ ଉପସ୍ଥିତ ଥିଲେ । ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେବା ସହ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ନବୀନଙ୍କୁ ସେ କୃତଜ୍ଞତ ଜଣାଇବା ସହ ବିଜେଡିରୁ ଇସ୍ତଫା ଦେବାର କାରଣ ମଧ୍ୟ କହିଛନ୍ତି ।
ଦଳରେ ତାଙ୍କୁ ଅନାଦର କରାଯାଉଥିବା ସୁଜିତ କହିଛନ୍ତି । ଦଳ ଆଉ ମୋର ଆଉ ସେବା ଆବଶ୍ୟକ କରୁନଥିବା ସେ ଅନୁଭବ କରୁଥିବା କହିଛନ୍ତି । ସେଥିପାଇଁ ସେ ଏଭଳି କଠିନ ନିଷ୍ପତ୍ତି ଦେଇଥିବା ସୁଜିତ ଜଣାଇଛନ୍ତି । ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେଉ ଦେଉ ବିଜୁ ଜନତା ଦଳ ତାଙ୍କୁ ଦଳରୁ ବହିଷ୍କାର କରିଥିଲା । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବିଜେଡିରୁ ବହିଷ୍କୃ୍ତ କରିଥିଲେ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା ବିଜେଡି ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଥିଲା । ତେବେ ୨୦୨୬ରେ ସୁଜିତ କୁମାରଙ୍କ କାର୍ଯ୍ୟକାଳ ଶେଷ ହୋଇଥାଆନ୍ତା । କାର୍ଯ୍ୟକାଳ ଶେଷ ହେବାର ୨ ବର୍ଷ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ ମମତା ମହାନ୍ତ ଇସ୍ତଫା ଦେଇଥିଲେ । ପରେ ସେ ବିଜେପିରେ ମିଶିଥିଲେ । ବିଜେପିରେ ମିଶିବା ପରେ ମମତା ପୁଣି ରାଜ୍ୟସଭା ଯାଇଛନ୍ତି ।