ଶ୍ରୀମନ୍ଦିର ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି। ଏବେ ଉଭୟ ରତ୍ନଭଣ୍ଡାରର ସଂରକ୍ଷଣ ତଥା ମରାମତି କାର୍ଯ୍ୟ ହାତକୁ ନେବ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ (ଏଏସଆଇ)। ଏନେଇ ଏଏସଆଇ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ।
ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା (ଏସଓପି) ଅନୁସାରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ପୂର୍ବରୁ ଆଉଥରେ ଏହାର ବୈଷୟିକ ଯାଞ୍ଚ କରାଯିବ। ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏହି ସର୍ଭେ କରାଯିବ। ଏହା ଦ୍ଵାରା ଶ୍ରୀମନ୍ଦିର ଉପରେ ଯେପରି କୌଣସି ପ୍ରତିକୂଳ ପ୍ରଭାବ ନପଡ଼ିବ ସେ ନେଇ ଧ୍ୟାନ ଦେବାକୁ ଏଏସଆଇକୁ ପରାମର୍ଶ ଦିଆଯାଇଛି।
ରତ୍ନଭଣ୍ଡାରର ସାମଗ୍ରିକ ବୈଷୟିକ ଯାଞ୍ଚ ଶେଷ ହେବା ପରେ ତୁରନ୍ତ ସଂରକ୍ଷଣ ଏବଂ ମରାମତି କାମ ଆରମ୍ଭ କରିବାକୁ ଏଏସଆଇକୁ ଅନୁରୋଧ କରାଯାଇଛି। ଏହାରି ମଧ୍ୟରେ ମହାପ୍ରଭୁଙ୍କ ଅଳଙ୍କାର ଏବଂ ମୂଲ୍ୟବାନ ସାମଗ୍ରୀଗୁଡ଼ିକର ଗଣତି ମଣତି କରାଯାଇ ପୁଣି ଥରେ ସେ ସବୁକୁ ମୂଳ ରତ୍ନଭଣ୍ଡାରକୁ ଫେରାଇ ଅଣାଯାଇ ସୁରକ୍ଷିତ ରଖାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଚିଠିରେ ଉଲ୍ଲେଖ କରିଛନ୍ତି।