Odia News Portal

ରାଜଧାନୀ ପୁଣି ରକ୍ତରଞ୍ଜିତ: ଦୁଇ ସାଙ୍ଗଙ୍କୁ ଛୁରି ଭୁସି ମାରିଲେ ଦୁର୍ବୃତ୍ତ

କିଛି ଦିନ ପରେ ପୁଣି ରକ୍ତରଞ୍ଜିତ ହୋଇଛି ରାଜଧାନୀ । ଏୟାରଫିଲ୍ଡ ଥାନା ଅଧୀନ କୁହା ଅଞ୍ଚଳରେ ୨ ସାଙ୍ଗଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଆପାର୍ଟମେଣ୍ଟରେ ଗାଡ଼ି ପାର୍କିଂକୁ କେନ୍ଦ୍ର କରି ଉକ୍ତ କୁହା ଗାଁର ୧୦ରୁ ଅଧିକ ଯୁବକ ଏଭଳି କାଣ୍ଡ ଭିଆଇଛନ୍ତି ।

ମୃତ ଯୁବକ ଦ୍ୱୟ ହେଲେ କୁହା ଗାଁ ସେଠୀ ସାହିର ରଶ୍ମିରଞ୍ଜନ ସେଠୀ ଓରଫ ଜିତୁ ଓ ତାଙ୍କ ସାଙ୍ଗ କେନ୍ଦ୍ରାପଡ଼ା ରାଜନଗର ଥାନା ଅଧୀନ ଜରିମୂଳର ସମ୍ବିତ୍ ରାଉତ ଓରଫ ଜୁଲୁ ।

କୁହା ଗାଁ ମଲ୍ଲିକ ସାହିର ଗଣେଶ ମଲ୍ଳିକ, ପ୍ରଦୀପ ମଲ୍ଲିକ ଏହି ହତ୍ୟାକାଣ୍ଡର ୨ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ କହିଛି । ଏୟାରଫିଲ୍ଡ ଥାନା ପୁଲିସ୍ ଗଣେଶର ପତ୍ନୀଙ୍କ ସହ ୪ ଜଣଙ୍କୁ ଅଟକ ରଖିଛି । ସ୍ପେଶାଲ ସ୍କ୍ୱାଡ୍ ୨ ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ୫ଜଣଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।

ପୁଲିସ ସୂଚନା ମୁତାବକ, କୁହା ଗାଁରେ ମଲ୍ଳିକ ସାହି ଓ ସେଠୀ ସାହି ପାଖାପାଖି ଅଛି । ୨ ସାହି ବାସିନ୍ଦାଙ୍କ ଭିତରେ ଦୀର୍ଘ ଦିନ ଧରି ଶତ୍ରୁତା ଲାଗିରହିଛି । ପତିଆରା ଦେଖାଇବା ହିଁ ଏହି ଶତ୍ରୁତାର ମୂଳ କାରଣ । ଜିତୁ ଓ ଜୁଲୁ ଉଭୟେ ଉକ୍ତ ଗାଁରେ ନିକଟସ୍ଥ କଲ୍ୟାଣି ପ୍ଲାଜା ଆନେକ୍ସ ଆପାର୍ଟମେଣ୍ଟର ଚତୁର୍ଥ ମହଲାର ଏକ ଫ୍ଲାଟ୍ରେ ଭଡ଼ାସୂତ୍ରରେ ରହୁଥିଲେ । ଉକ୍ତ ଆପାର୍ଟମେଣ୍ଟକୁ ଲାଗି ଉଭୟଙ୍କର ଏକ ଚିକେନ କାଉଣ୍ଟର ଅଛି । ଆପାର୍ଟମେଣ୍ଟ ବାସିନ୍ଦା ହେତୁ ଜିତୁ ତାଙ୍କ କାର୍କୁ ସବୁବେଳେ ପାର୍କିଂସ୍ଥଳରେ ରଖୁଥିଲେ ।

ଅନ୍ୟପଟେ ଉକ୍ତ ଆପାର୍ଟମେଣ୍ଟର ଅଂଶୀଦାର ଥିବା ଗଣେଶ ସପ୍ତାହେ ତଳେ ଆପାର୍ଟମେଣ୍ଟ ରକ୍ଷଣାବେକ୍ଷଣ ଦାୟିତ୍ୱ ମୁଣ୍ଡାଇଥିଲା । ସେବେଠୁ ଗଣେଶ ଓ ଜୁଲୁଙ୍କ ଭିତରେ କାର ପାର୍କିଂକୁ ନେଇ ଏକାଧିକ ଥର ଯୁକ୍ତିତର୍କ ହୋଇଥିଲା । ହାତାହାତି ଯାଏଁ କଥା ଯାଇଥିଲା । ଧୀରେ ଧୀରେ ଏହି ପାର୍କିଂ ଝଗଡ଼ା ୨ ସାହି ଭିତରେ ଖେଳିଗଲା । ଯାହାକୁ ନେଇ ଉଭୟ ସାହିର ବାସିନ୍ଦାଙ୍କ ଭିତରେ ଚାପା ଉତ୍ତେଜନା ଲାଗି ରହିଥିଲା । ବୁଧବାର ସନ୍ଧ୍ୟାରେ ଜିତୁ ତାଙ୍କ କାର ଆପାର୍ଟମେଣ୍ଟ ଗେଟ୍ ସାମ୍ନାରେ ରଖିଥିଲେ । ଯାହାକୁ ଦେଖିବା ପରେ ଗଣେଶ ରାଗ ତମତମ ହୋଇ ମଲ୍ଲିକ ସାହି ଆଡ଼େ ମାଡି଼ ଯାଇଥିଲା ।

ପ୍ରଦୀପ ଓ ଅନ୍ୟ ସହଯୋଗୀଙ୍କୁ ଏକାଠି କରି ରାତି ପ୍ରାୟ ସାଢ଼େ ୯ଟା ବେଳେ ଚିକେନ କାଉଣ୍ଟର ଆଡ଼କୁ ମାଡି଼ ଆସିଥିଲେ । ସେତେବେଳେ ଜିତୁ ଓ ଜୁଲୁ ଚିକେନ କାଉଣ୍ଟର ବନ୍ଦ କରୁଥିଲେ । ଗାଡି଼ ପାର୍କିଂକୁ କେନ୍ଦ୍ର କରି ପୁଣି ବଚସା ଆରମ୍ଭ ହେଲା । ଆପାର୍ଟମେଣ୍ଟ ବାସିନ୍ଦା ହେତୁ ଯେଉଁଠି ଚାହିଁବେ, ସେଇଠି କାର ରଖିବେ ବୋଲି କହି ଜିତୁ ଯୁକ୍ତି କରିଥିଲେ । ଗଣେଶ ପ୍ରଥମେ ଉତ୍କ୍ଷିପ୍ତ ହୋଇ ୨ ଜଣଙ୍କୁ ପିଟିବାକୁ ଲାଗିଲା । ଅନ୍ୟ ଆକ୍ରମଣକାରୀମାନେ ସଂଘବଦ୍ଧ ହୋଇ ଉଭୟଙ୍କ ଉପରେ ଝାମ୍ପି ପଡ଼ିଥିଲେ । ଚିକେନ କାଉଣ୍ଟରରୁ ଚାପଡ଼ ଉଠାଇ ନେଇ ୨ଜଣଙ୍କୁ ଭୁସିବାକୁ ଲାଗିଲେ । ଘଟଣାସ୍ଥଳରେ ଚାପଡ଼ ଦେଖାଇ ଅନ୍ୟ ଲୋକଙ୍କୁ ଭୟଭୀତ କରିଥିଲେ ।ଖବର ପାଇ ସେଠୀ ସାହିରୁ ଲୋକମାନେ ଧାଇଁ ଆସିବାରୁ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ ।

ଜିତୁଙ୍କ ଛାତିରେ ଖୁବ୍ ଜୋର୍ରେ ଛୁରି ଭୁସା ଯାଇବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଜୁଲୁଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡିସିପି ପ୍ରତୀକ ସିଂ, ଜୋନ୍-୨ ଏସିପି କେ ସି ପଲେଇ, ଥାନା ଅଧିକାରୀ ଶଶୀକାନ୍ତ ରାଉତ, ଏୟାରପୋର୍ଟ ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇଥିଲେ । ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରାଇ ଶାନ୍ତ କରିଥିଲେ । ଘଟଣାସ୍ଥଳରୁ ପୁଲିସ ୩ଜଣଙ୍କୁ ଥାନାକୁ ଉଠାଇ ଆଣିଥିଲା ।

ଅନ୍ୟପଟେ ଗଣେଶଙ୍କ ସ୍ତ୍ରୀ ପାଲଟା ଭାବେ ବଳାତ୍କାର ନାଁରେ ମିଛ ଅଭିଯୋଗ ଦେବା ପାଇଁ ତରବର ହୋଇ ଥାନାକୁ ଧାଇଁ ଯାଇଥିଲେ । କିନ୍ତୁ ଉତ୍ତ୍ୟକ୍ତ ଲୋକମାନେ ଥାନାକୁ ଆସି ହୋ ହଲ୍ଲା କରିଥିଲେ । ପୁଲିସ ତାଙ୍କୁ ଅଟକ ରଖିଛି । ସ୍ପେଶାଲ ସ୍କ୍ୱାଡ୍ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଶିଶୁପାଳଗଡ଼ ସମେତ ଅନ୍ୟାନ୍ୟ ଜାଗାରେ ଚଢ଼ାଉ ଜାରି ରଖିଛି ।

ଜିତୁଙ୍କ ବାପା ଭୂପେନ୍ଦ୍ର ଅଭିଯୋଗ କରିଛନ୍ତି ଯେ ଗଣେଷ ଓ ପ୍ରଦୀପ ହିଁ ତାଙ୍କ ପୁଅକୁ ମାରିଛନ୍ତି । ୨ଜଣ ଉକ୍ତ ଅଞ୍ଚଳରେ ଦୀର୍ଘଦିନ ଧରି ଆତଙ୍କ ଖେଳାଉଥିଲେ । ସେମାନେ ଅନେକ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ । ଡିସିପି ଶ୍ରୀ ସିଂ କହିଛନ୍ତି, ଏନେଇ ଏକ ଭିଡ଼ ହତ୍ୟା ମାମଲା ରୁଜୁ କରାଯାଇଛି । ଘଟଣାସ୍ଥଳରୁ ପ୍ରମାଣପତ୍ର ସଂଗ୍ରହ କରାଯାଇଛି । ସିସି କ୍ୟାମେରା ବି ଯାଞ୍ଚ ହୋଇଛି । ଅଭିଯୁକ୍ତଙ୍କୁ ଖୋଜା ଚାଲିଛି । ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ମୁତୟନ କରାଯାଇଛି