Odia News Portal

୨ଦିନ ହେଲେ କପିଳାସ ରୋଷଘରେ ପଡିଛି ତାଲା: ନୀତିରେ ବିଭ୍ରାଟ, ଓପାସରେ ବାବା ଚନ୍ଦ୍ରଶେଖର

୨ ଦିନ ହେବ ନୀତି ବିଭ୍ରାଟ। ଓପାସରେ ଠାକୁର। ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସରେ ଗତ ୨ଦିନ ହେବ ମହାପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ନୀତି ବିଭ୍ରାଟ ହେବା ଦ୍ୱାରା ଠାକୁର ଓପାସରେ ରହିଛନ୍ତି। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୋସିଆଲ ମିଡ଼ିଆରେ ଏହାକୁ ଭାଇରାଲ ମଧ୍ୟ କରିଛନ୍ତି। ଅନ୍ୟ କେତେକ ଶ୍ରଦ୍ଧାଳୁ ଏକ୍ସ ମାଧ୍ୟରେ ଏହି ସମସ୍ୟାକୁ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀ, ଜିଲ୍ଲାପାଳ ଓ ଏସପିଙ୍କୁ ଜଣାଇଛନ୍ତି । ପୀଠରେ ଥିବା ଠାକୁରଙ୍କ ରୋଷଘର ତାଲା ପଡିଛି । ଦାୟିତ୍ଵରେ ଥିବା ସୁଆରଙ୍କ ଅନପସ୍ଥିତି ଯୋଗୁଁ ଏଭଳି ସମସ୍ୟା ହୋଇଥିବା ଜଣାପଡିଛି । ପ୍ରସିଦ୍ଧ ଶୈବପୀଠ କପିଳାସ ଠାକୁରଙ୍କ ୧୯ କୋଟି ଟଙ୍କା ବ୍ୟାଙ୍କରେ ଜମା ଥିବା ବେଳେ ୫ ହଜାର ଏକର ଜମି ମଧ୍ୟ ରହିଛି । ବର୍ଷକୁ ଠାକରଙ୍କ ନୀତିକାନ୍ତି, ପର୍ବପର୍ବାଣି ଓ ପୂଜାପଣ୍ଡା ଏବଂ ସୁଆରଙ୍କ ପାଇଁ ପ୍ରାୟ ୧କୋଟି ଟଙ୍କା ଖର୍ଚ୍ଚ ହେଉଛି। ୬ ଜଣ ସୁଆର, ୩ ଜଣ ପୂଜାପଣ୍ଡାଙ୍କ ସମେତ ପ୍ରାୟ ୭୦ ଜଣ ସେବାୟତ ରହିଛନ୍ତି। ଏସବୁ ସତ୍ତ୍ଵେ ଢେଙ୍କାନାଳ ଜିଲ୍ଲାର ଆରାଧ୍ୟ ଦେବତା କପିଳାସ ପୀଠର ମହାପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ଓପାସରେ ରହିବା ଘଟଣାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଶ୍ରଦ୍ଧାଳୁ। ସେପଟେ ସୁଆର ୨ଜଣ ଛୁଟିରେ ଥିବା ବେଳେ ଅନ୍ୟ ସୁଆରଙ୍କ ଦେହ ଖରାପ ଥିବାରୁ ଅସୁବିଧା ହୋଇଛି ବୋଲି ସଫେଇ ଦେଇଛନ୍ତି ଦେବୋତ୍ତର ବିଭାଗ ଅଧିକାରୀ ।