Odia News Portal

ପରିବା ଦର ବୃଦ୍ଧି: ‘ଆଳୁ, ପିଆଜ ଯୋଗାଇବ ନାଫେଡ’

ରାଜ୍ୟରେ ଆଳୁ ପିଆଜ ଦର ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ନାଶିକରୁ ପିଆଜ ୩୪ ଟଙ୍କାରେ ଆସୁଛି। ପରିବହନ ଖର୍ଚ୍ଚ ମିଶି କେଜି ପ୍ରତି ୪୦ ଟଙ୍କା ପଡିଯାଉଛି। ଫଳରେ ଖୁଚୁରା ବଜାରରେ ଏବେ ଦର ଟିକେ ଉଚ୍ଚା ରହିଛି। ସେହିପରି ଆଳୁ ଲାଗି ଆସାମ ଓ ବେଙ୍ଗଲ ଉପରେ ଓଡ଼ିଶା ନିର୍ଭରଶୀଳ ଥିବାରୁ ସେଠାରେ ଦର ବଢ଼ିବାରୁ ଆମ ରାଜ୍ୟରେ ମଧ୍ୟ ଆଳୁ ଦର ବଢ଼ିଛି। ଆଳୁ, ପିଆଜ ଯୋଗାଇବାକୁ ନାଫେଡକୁ କୁହାଯିବ । ତେବେ ଅନାବଶ୍ୟକ ହୋର୍ଡିଂ ଉପରେ ନଜର ରଖାଯାଇଛି। କୌଣସି ସ୍ଥାନରେ ଏଭଳି ଘଟଣା ସାମ୍ନାକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। 

ଅନ୍ୟପଟେ ଟମାଟୋ ଓ ପରିବା ଦର ବୃଦ୍ଧି ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି ଏହା ଉପରେ ସରକାରଙ୍କର ନିୟନ୍ତ୍ରଣ ନାହିଁ। ଦରବୃଦ୍ଧି ସମସ୍ୟାର ସମାଧାନ ଲାଗି ଆଗକୁ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବ।

ସେପଟେ ପରିବାର ଦର ଏବେ ଆକାଶ ଛୁଆଁ । ପୋଟଳ କୁହନ୍ତୁ କି ପିଆଜ, ଟମାଟୋ ହେଉ କି ବାଇଗଣ, ଏମିତି କୌଣସି ପରିବା ନାହିଁ, ଯାହାର ଦାମ୍ କିଲୋ ପିଛା ୫୦ ତଳେ। ଯେଉଁ ପରିବାକୁ ହାତ ମାରିବେ, ଅମୂଲ ମୂଲ। ଦାମ୍ ଶୁଣି ଛାନିଆଁ ଗ୍ରାହକ । 

ଆଉ ନା କିଣି ହେଉଛି ପରିବା, ନା ଭଲରେ ଚଳାଇ ହେଉ ତେଲ ଲୁଣର ସଂସାର। ଦରବୃଦ୍ଧିର ମାଡ଼ରେ ଥରହର ନିମ୍ନ ମଧ୍ୟବିତ୍ତ ପରିବାର। ନାଲି ଟହ ଟହ ଟମାଟୋ ଛୁଇଁଲେ ସତେଯେମିତି କରେଣ୍ଟ ମାରୁଛି। କାରଣ ଏହାର ଦାମ୍ ଆଉ ୨୦ କି ୩୦ ନୁହଁ। କେଉଁଠି ଏବେ କିଲୋ ପିଛା ୮୦ ତ ଆଉ କେଉଁଠି କରିଛି ସେଞ୍ଚୁରୀ ପାର୍। ଖାଲି କ’ଣ ଟମାଟୋ, ତା ନୁହଁ। କଲରାଠୁ କାଙ୍କଡ଼, ବିନ୍ସଠୁ ବାଇଗଣ ଯାଏଁ। ଶହେରୁ ଶହେ କୋଡ଼ିଏ ଟଙ୍କାରେ ବିକ୍ରି କରୁଛନ୍ତି ବ୍ୟବସାୟୀ।