ଓଡ଼ିଶାରେ ପ୍ରଚୁର ପରିମାଣରେ ପାଣି ଅଛି। କିନ୍ତୁ ଚାଷୀଙ୍କ ଜମିକୁ ଏହି ପାଣି ପହଞ୍ଚିପାରୁ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିର୍ବାଚନ ପ୍ରଚାର ବେଳେ ବୁଧବାର ଦିନ ଏହା କହିଛନ୍ତି। କେନ୍ଦ୍ରାପଡ଼ାରେ ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ବାରା ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଏଥର ନିର୍ବାଚନରେ ଏହି ପରିସ୍ଥିତିରୁ ବର୍ତ୍ତିବା ପାଇଁ ଓଡ଼ିଶାର ଜନତା ମତଦାନ କରିଛନ୍ତି। ସେ ଆହୁରି କହିଛନ୍ତି ଓଡ଼ିଶାର ସବୁ ଲୋକଙ୍କୁ ଟ୍ୟାପ୍ରୁ ପାଣି ମିଳୁନାହିଁ। ତେଣୁ ଓଡ଼ିଶାର ଜନତା ଏଥର ନିଷ୍ପତ୍ତି ନେଇଛନ୍ତି, ଗୋଟିଏ ପଦ୍ମ ଦିଲ୍ଲୀ ପାଇଁ ଓ ଆଉ ଗୋଟିଏ ଭୁବନେଶ୍ବର। ଓଡ଼ିଶାରେ ଦୁଇଥର ପଦ୍ମ, ଦୁଇଗୁଣା ବିକାଶ। ମୋତେ ଯାହା କରିବାର ଅଛି, ଆପଣଙ୍କର ପାଇଁ। ଆପଣ ଯେତିକି ବିଧାୟକଙ୍କୁ ଜିତାଇବେ, ସେତିକି ବଳ ମୋଦୀଙ୍କୁ ଦେବେ।
ପ୍ରଧାନମନ୍ତ୍ରୀ ଦୃଢ଼ତାର ସହିତ କହିଛନ୍ତି, ଓଡ଼ିଶାର ରାଜନୀତିରେ ମଧ୍ୟ ଏଥର ନୂଆ ଦେଖିବାକୁ ମିଳିବ। ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାର ମତଦାତା ପ୍ରତ୍ୟେକ ପର୍ଯ୍ୟାୟରେ ବିଜେପି ସାଂସଦ ଓ ବିଧାୟକଙ୍କ ପ୍ରାର୍ଥୀଙ୍କୁ ମତଦାନ କରିଛନ୍ତି। ଦାଦନ ଶାସନ ହଟାଇବା ପାଇଁ ଓ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ଲୋକେ ମତଦାନ କରିଛନ୍ତି। ଭ୍ରଷ୍ଟାଚାର ହଟାଇବା ପାଇଁ, ରତ୍ନଭଣ୍ଡାରକୁ ନେଇ ଯେଉଁ ଆଶଙ୍କା ରହିଛି, ତାକୁ ହଟାଇବା ପାଇଁ ମତଦାନ କରିଛନ୍ତି। ବିଜେପି ଆସିବ ଓ ମହାପ୍ରଭୁଙ୍କ ୪ଦ୍ବାର ଭକ୍ତଙ୍କ ପାଇଁ ଖୋଲାଯିବ। ଓଡ଼ିଶାର ବିକାଶ ମୋର ଗ୍ୟାରେଣ୍ଟି। ଆପଣଙ୍କର ଆଶା ପୂରା ହେଉ, ଏହା ମୋଦୀଙ୍କ ସଂକଳ୍ପ। ମୋତେ ଖୁସି ଲାଗୁଛି ଓଡ଼ିଶା ବିଜେପି ନୂଆ ଇତିହାସ ରଚିବାକୁ ଯାଉଛି। ବିଜେପି ଚାଷୀଙ୍କ ପାଇଁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା କରିବାକୁ ନିଷ୍ପତ୍ତି ନେଇଛି।