ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ଓଡ଼ିଶାରେ ସରକାର ବଦଳିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଜୁନ୍ ୪ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଏକ୍ସପାରୀ ତାରିଖ। ଓଡ଼ିଶାରେ ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଖବର ସରବରାହ ସଂସ୍ଥା ANIକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ମୋଦି।
ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “୨୫ ବର୍ଷରେ ଓଡ଼ିଶାରେ କୌଣସି ପ୍ରଗତି ହୋଇନି। ରାଜ୍ୟର ପୂରା ବ୍ୟବସ୍ଥାକୁ ଏକ ଗୋଷ୍ଠୀ ନିଜ ଅଧୀନକୁ ନେଇ ଯାଇଛନ୍ତି। ସବୁଠୁ ଚିନ୍ତାର ବିଷୟ ଯେ, ପୂରା ବ୍ୟବସ୍ଥାକୁ ବନ୍ଧକ କରି ରଖାଯାଇଛି। ଓଡ଼ିଶା ସେହି ବନ୍ଧନରୁ ବାହାରିଲେ ସମୃଦ୍ଧ ହେବ, ଏହା ଓଡ଼ିଶା ଅସ୍ମିତାର ପ୍ରଶ୍ନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।”
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରପୂର ରହିଛି, କିନ୍ତୁ ରାଜ୍ୟର ଲୋକେ ଗରିବ। ଏଥିପାଇଁ ରାଜ୍ୟ ସରକାର ଦାୟୀ। ରାଜ୍ୟବାସୀ ସେମାନଙ୍କ ଅଧିକାର ପାଇବା ଉଚିତ୍। ଏଥର ଓଡ଼ିଶାର ଭାଗ୍ୟ ବଦଳିବାକୁ ଯାଉଛି, ସେଠାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି।
ମୁଁ କହି ରଖୁଛି, ଜୁନ୍ ୪ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଏକ୍ସପାରୀ ଡେଟ୍। ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି ଦୃଢୋକ୍ତି ପ୍ରକାଶ କରିଛନ୍ତି।
ଓଡ଼ିଶାରେ ବିଭିନ୍ନ ପର୍ଯ୍ୟାୟରେ ନିର୍ବାଚନୀ ଜନସଭାରୁ ବିଜେଡି ସରକାରଙ୍କ ଏକ୍ସପାଏରୀ ଓ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥର ଡେଟ୍ ଦେଇ ଯାଇଥିଲେ ପ୍ରଧାନମନ୍ତ୍ରୀ । ଜୁନ୍ ୧୦ରେ ଭୁବନେଶ୍ବରରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ନିମନ୍ତ୍ରଣ ଦେବାକୁ ଓଡ଼ିଶା ଆସିଥିବା ଜନସଭାରେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଅନ୍ୟପକ୍ଷରେ କଂଗ୍ରେସକୁ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି , ଦେଶରେ ନୂଆ ଅଧ୍ୟାୟ ଆରମ୍ଭ ହେବ। ବଡ଼ ବଡ଼ ସ୍ୱପ୍ନ ଦେଖାଉଥିବା ରାଜନେତା ଓ ବିରୋଧୀ ସତ କଣ ଜାଣିବେ। ଏସଟି, ଏସସି, ଓବିସି ବର୍ଗଙ୍କୁ ଅନ୍ଧାରରେ ରଖି ଲୁଟ୍ ତରାଜ ଚାଲିଛି। ଏଥିପାଇଁ ଦେଶବାସୀଙ୍କୁ ମୋଦି ସରକାର ଜାଗ୍ରତ କରାଇବାକୁ ଚାହୁଁଛି। ଭାରତର ସମ୍ୱିଧାନର ମୂଳ ଭାବନା ଓ ମର୍ଯ୍ୟାଦା କ୍ଷୁଣ୍ଣ କରାଯାଉଛି।
ଭୋଟ୍ ବ୍ୟାଙ୍କ ରାଜନୀତି କରୁଛନ୍ତି ବିରୋଧୀ। ଭୋଟ୍ ବ୍ୟାଙ୍କ ନାଁରେ ଦଳିତ, ଆଦିବାସୀଙ୍କୁ ଲୁଟାଯାଉଛି। ଦଳିତଙ୍କ ବନ୍ଧୁ କହୁଥିବା ବିରୋଧୀ ପ୍ରକୃତରେ ସେମାନଙ୍କ ଶତ୍ରୁ। ଭୋଟ୍ ବ୍ୟାଙ୍କ ନାଁରେ କଣ ଆମେ ଆଗାମୀ ପିଢ଼ିକୁ ଧ୍ସଂସ କରିଦେବା ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ଦଳିତ, ଆଦିବାସୀ, ଓବିସିଙ୍କ ଅଧିକାର ପାଇଁ ମୁଁ ଲଢ଼ିବି ବୋଲି କହିବା ସହ ମୋଦି ସଂରକ୍ଷଣ ସମାପ୍ତ କରିଦେବେ ବୋଲି ବିରୋଧୀ ଅପପ୍ରଚାର କରୁଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି।
ସମ୍ୱିଧାନ ପିଠିରେ ଛୁରି ଭୁସିଦେଲେ ବିରୋଧୀ। ଭୋଟ୍ ବ୍ୟାଙ୍କ ପାଇଁ ଏହାକୁ ବନ୍ଧକ ରଖିଛନ୍ତି। ମାନିଫେଷ୍ଟୋରେ ସେମାନେ ଆଶ୍ଚର୍ଯ୍ୟ କରିଦେଲେ। କ୍ରୀଡାରେ ମଧ୍ୟ ମାଇନୋରିଟି ପାଇଁ ସଂରକ୍ଷଣ କରିବେ କହୁଛନ୍ତି। ଏଥିରେ ପରିଶ୍ରମ କରୁଥିବା ପିଲା ଯିବେ କୁଆଡେ ବୋଲି ପ୍ରଶ୍ନ କଲେ ମୋଦି।
କଂଗ୍ରେସର ମନମୋହନ ସିଂ ସରକାରରେ ମାତ୍ର ୩୪ଲକ୍ଷ ଟଙ୍କା ପିସି ଧରାଯାଇଥିଲା। ହେଲେ ଗତ ୧୦ବର୍ଷରେ ମୋଦି ସରକାରରେ ୨୨ଶହ କୋଟି ଧରାପଡିଛି। ଯିଏ ଏହାକୁ ଧରିଛି ସେ ସମ୍ମାନର ଅଧିକାରୀ ଗାଳିର ନୁହଁ। ଯାହାର ଟଙ୍କା ଯାଇଛି ତାହାର ହିଁ ଭାଗିଦାରୀ ଅଛି । ସେ ହିଁ ଗାଳି କରିବ ବୋଲି କହିଛନ୍ତି।
ସେହିପରି କାଶ୍ମୀର ନେଇ ପ୍ରତିକ୍ରିୟା ରଖିଛନ୍ତି ମୋଦି। କାଶ୍ମୀରରେ ସ୍ଥିରତା ଆଣିବା ପାଇଁ ଇଣ୍ଟରନେଟ୍ ବନ୍ଦ କରିବା ପାଇଁ ପଡିଥିଲା। ମାତ୍ର ଏହା ଜରୁରୀ ଥିଲା। ଭଲ କାମ କରାଯାଇଥିଲା। ମତଦାନ ଅର୍ଥ କାହାକୁ ଜିତାଇବା ନୁହେଁ, ଏହାର ଅର୍ଥ ଭାରତର ସରକାର ଗଠନରେ ଗର୍ବର ସହ ଭାଗିଦାରୀ ରହିବା। ଆଜି କାଶ୍ମୀରରେ ମତଦାନ ୪୦ବର୍ଷର ରେକର୍ଡ ଭାଙ୍ଗିଛି। ଭରସା କରି ସେଠାକାର ଭୋଟର ମତଦାନ କରିବାକୁ ଆଗେଇ ଆସିଛନ୍ତି। ଯାହାକି ଅତ୍ୟନ୍ତ ଖୁସିର ବିଷୟ।
ଧାରା-୩୭୦ କାଶ୍ମୀରର ଏଜେଣ୍ଡା ନଥିଲା। ଏହା କିଛି ମୁଷ୍ଟିମେୟ ଲୋକଙ୍କର ଏଜେଣ୍ଡା ଥିଲା। ଧାରା ୩୭୦ହଟିବା ପରେ କାଶ୍ମୀରରେ ଏକତା ବୃଦ୍ଧି ପାଇଛି। ସେଠାରେ ଲୋକଙ୍କ ମଧ୍ୟରେ ସୌହାର୍ଦ୍ଧ୍ୟ ବଢ଼ିଛି। ଶାନ୍ତି ବି ଫେରିଛି। ଯାହାକି ପର୍ଯ୍ୟଟନ ଓ ଜି-୨୦-ସମ୍ମିଳନୀରେ ଦେଖିବାକୁ ମିଳିଛି।