ଆସନ୍ତା ସୋମବାର ବା ୨୦ ତାରିଖରେ ରାଜ୍ୟରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ। ୫ଟି ସଂସଦୀୟ କ୍ଷେତ୍ର ସହ ୩୫ ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବ । ଏହି ପର୍ଯ୍ୟାୟରେ ମୋଟ ଭୋଟର ସଂଖ୍ୟା ୭୯ ଲକ୍ଷ ୬୯ ହଜାର ୮୮୭ । ଭୋଟ ଗ୍ରହଣ ପାଇଁ ୯ ହଜାର ୧୬୯ ମତଦାନ କେନ୍ଦ୍ର କରାଯାଇଛି । ୧୦୪୧ଟି ବୁଥ ମହିଳା ପୋଲିଂ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ । ୨୫ଟି ବୁଥ PWD କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ । ଏଥର ୧୫୪୧ ଆଦର୍ଶ ବୁଥ କରାଯାଇଛି ।
ତେବେ ଏହି ପର୍ଯ୍ୟାୟରେ ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ ରହିଛି । ଏଠାରେ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ। ସବୁଠାରୁ ଅଧିକ କନ୍ଧମାଳରେ ୨୨, ଗଞ୍ଜାମରେ ୨୦, ସୁନ୍ଦରଗଡରେ ୧୬, ବଲାଙ୍ଗୀର ଓ ବରଗଡ଼ରେ ୧୪ ଲେଖାଏଁ । ଝାରସୁଗୁଡା ଓ ବୌଦ୍ଧରେ ୫ ଲେଖାଏଁ, ସୁବର୍ଣ୍ଣପୁରରେ ୪, ନୟାଗଡ଼ରେ ୨ କଂପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୬୫ ଜଣ ପାର୍ଥୀ ରହିଛନ୍ତି । ସେଥିମଧ୍ୟରୁ ୪୧ ଜଣ ମହିଳା ପ୍ରାର୍ଥୀ। ୫ ସଂସଦୀୟ କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ରହିଛନ୍ତି।
ଅନ୍ୟପଟେ ନିର୍ବାଚନ ପାଇଁ ବୁଥ୍ ମୁହାଁ ହୋଇଛନ୍ତି ପୋଲିଂ କର୍ମଚାରୀ । ସୁନ୍ଦରଗଡ ଜିଲ୍ଲାରେ ୩୦୯ଟି ବୁଥରେ ହେବ ଭୋଟିଂ । ଦୂରଦୂରାନ୍ତ ବୁଥଗୁଡିକୁ କିଛି କର୍ମଚାରୀ ଯାଇସାରିଥିବା ବେଳେ ଆଉ କିଛି ବୁଥକୁ ଯିବା ଲାଗି ପ୍ରସ୍ତୁତ ହେଉଛନ୍ତି କର୍ମଚାରୀ । କେତେକ ମାଓ ପ୍ରବଣ ଅଞ୍ଚଳ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ୮ କେନ୍ଦ୍ରୀୟ ଟିମ୍ ମାଓ ଅଂଚଳରେ ମୁତୟନ ହୋଇଥିବା sdpo ସୂଚନା ଦେଇଛନ୍ତି ।
ତେବେ ଆସନ୍ତା ୨୫ ତାରିଖରେ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୮୩ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୮୧ ଜଣ ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରିଛି ADR ଓ ଓଡ଼ିଶା ଇଲେକ୍ସନ ୱାଚ୍ ।
ରିପୋର୍ଟ ଅନନୁଯାୟୀ ୩୮୧ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୦ ଜଣ ଅର୍ଥାତ୍ ୨୬ ପ୍ରତିଶତଙ୍କ ନାମରେ ରହିଛି ଅପରାଧିକ ମାମଲା । ୮୬ ଜଣଙ୍କ ନାମରେ ରହିଛି ଗୁରୁତର ଅପରାଧ ମାମଲା । ୪ ଜଣଙ୍କ ନାଁରେ ହତ୍ୟା ମାମଲା ରହିଛି । ୨୬ ଜଣଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ଥିବା ବେଳେ ୨୮ ଜଣଙ୍କ ନାମରେ ମହିଳା ବିରୋଧୀ ମାମଲା ରହିଛି । ଏମିତିକି ଜଣଙ୍କ ନାମରେ ଦୁଷ୍କର୍ମ ମାମଲା ବି ଅଛି ।
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୬ ଜଣ ଅର୍ଥାତ୍ ୩୩ ପ୍ରତିଶତ ବିଧାୟକ ପ୍ରାର୍ଥୀ କୋଟିପତି । କେନ୍ଦୁଝର ଚମ୍ପୁଆର BJD ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ତୃତୀୟ ପର୍ଯ୍ୟାୟର ସବୁଠୁ ଧନୀ ବିଧାୟକ ପ୍ରାର୍ଥୀ । ତାଙ୍କ ସମ୍ପତ୍ତି ମୂଲ୍ୟ ୨୨୭ କୋଟି ୬୭ ଲକ୍ଷ ଟଙ୍କା । ସେହିପରି ୧୨୨ କୋଟି ୮୬ ଲକ୍ଷ ଟଙ୍କା ସମ୍ପତ୍ତି ସହ ଘଷିପୁରାର ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ପର୍ଯ୍ୟାୟର ଦ୍ୱିତୀୟ ଧନୀ ବିଧାୟକ ପ୍ରାର୍ଥୀ । ଆଉ ୧୨୦ କୋଟି ୫୬ ଲକ୍ଷ ଟଙ୍କା ସମ୍ପତ୍ତି ସହ ତୃତୀୟ ସ୍ଥାନରେ ଅଛନ୍ତି ନୟାଗଡ଼ BJP ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ।