ବିଜେଡି ପ୍ରାର୍ଥୀଙ୍କ ପାଇଁ ଜଗତସିଂହପୁରକୁ ପ୍ରଚାରରେ ଆସୁଛନ୍ତି ଦଳପତି ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍ । ଜିଲ୍ଲା ବିଜେଡିର ବରିଷ୍ଠ ଉପସଭାପତି ଦୀପ୍ତି ଦାସଙ୍କ ସୂଚନା ମୁତାବକ, ଆସନ୍ତା ୨୩ ତାରିଖରେ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍ଙ୍କ ନାଉଗାଁ ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି ।
ଉକ୍ତ ଦିନ ଏକ ବିଶାଳ ରୋଡ୍ ସୋ’ ନାଉଗାଁ ବ୍ଲକରେ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟ ଆକର୍ଷଣ ଭାବେ ଶ୍ରୀ ପାଣ୍ଡିଆନ୍ ଯୋଗ ଦେଇ ଦଳୀୟ କର୍ମୀମାନଙ୍କ ମନୋବଳ ବଢାଇବେ । ତତ୍ସହିତ ଜଗତସିଂହପୁର ବିଧାନସଭା ଆସନର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କ ସପକ୍ଷରେ ପ୍ରଚାର କରିବେ । ଅନୁରୂପ ଭାବେ ଆସନ୍ତା ୨୭ରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜଗତସିଂହପୁରରେ ପାଦ ରଖିବେ । ସେଦିନ ଜଗତସିଂହପୁର ସଦର ମହକୁମାସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡ଼ିୟମରେ ଆୟୋଜିତ ଏକ ସାଧାରଣ ସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବା ସହ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କ ସପକ୍ଷରେ ଭୋଟ ଭିକ୍ଷା କରିବେ ।
ବର୍ତ୍ତମାନ ସମୟରେ ଜଗତସିଂହପୁର ନିର୍ବାଚନମଣ୍ଡଳୀ ରାଜନୀତି ଘମାଘୋଟ ସ୍ତରରେ ଉପନୀତ ହୋଇସାରିଛି । ମୁଖ୍ୟତଃ ବିଜେପି ଓ ବିଜେଡି ଭିତରେ ବଡ଼ ଲଢେଇରେ ସଙ୍କେତ ମିଳିଯାଇଛି । ସୋସିଆଲ ମିଡିଆରେ ଉଭୟ ଦଳର ସମର୍ଥକମାନେ ମୁହାଁମୁହିଁ ସ୍ତରକୁ ଚାଲି ଆସିଛନ୍ତି । ଏବେ ବି ନିର୍ବାଚନମଣ୍ଡଳୀରେ ଅସନ୍ତୁଷ୍ଟ ବିଜେଡି ଗୋଷ୍ଠୀ ନିଜ ଆଣ୍ଟପଣ ସହ ରହିଛନ୍ତି । ଏମାନଙ୍କ ଭିତରେ ଅନେକ ବିଜେପି ବିଧାୟକ ପ୍ରାର୍ଥୀ ଅମରେନ୍ଦ୍ର ଦାସଙ୍କ ପ୍ରତି ସମର୍ଥନ ଜଣାଇ ସାରିଲେଣି । ଯେହେତୁ ଅମରେନ୍ଦ୍ରଙ୍କ ରାଜନୈତିକ ଇନିଂସ ବିଜେଡିରୁ ଆରମ୍ଭ ହୋଇଥିଲା ସେଇ କାରଣରୁ ଅନେକ ମାତ୍ରାରେ ବିଜେଡି ଓ ଅସନ୍ତୁଷ୍ଟ ବିଜେଡି କର୍ମୀ ଏବେ ଦୋଛକିରେ ଛିଡ଼ା ହୋଇଛନ୍ତି । କିନ୍ତୁ ଅଧିକ ଯୁବ-ଛାତ୍ର ସଂଗଠନ ମନକୁ ଦୃଢ କରି ବର୍ତ୍ତମାନ ସମୟରେ ବିଜେପି ପଟକୁ ଢଳି ପଡ଼ିଥିବା ଲକ୍ଷ୍ୟ କରାଯାଇଛି । ସମ୍ଭବତଃ ଏସବୁ ରାଜନୈତିକ ଗଣିତ ବିଜେଡିକୁ ଘାଇଲା କରିବା ପୂର୍ବରୁ ଆସନ୍ତା ୨୩ରେ ଭି. କେ ପାଣ୍ଡିଆନ୍ ବିଧାୟକ ପ୍ରାର୍ଥୀ ଶ୍ରୀ ମୁଦୁଲିଙ୍କ ସପକ୍ଷରେ ପ୍ରଚାର ମଙ୍ଗ ସମ୍ଭାଳିବାକୁ ନାଉଗାଁରେ ରୋଡ୍ ସୋ’ କରିବାକୁ ଯାଉଥିବା ଚର୍ଚ୍ଚାର ପରିଧିକୁ ଆସିଛି । ଏପଟେ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇନଥିଲେ ସୁଦ୍ଧା ଜଗତସିଂହପୁରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂଙ୍କ ଭଳି ହେଭିୱେଟ୍ଙ୍କ ଗସ୍ତ ଥିବା ବିଜେପି ଶିବିରରୁ କୁହାଯାଇଛି । ଅର୍ଥାତ ଜିଲ୍ଲାର ଅନ୍ୟ ୩ ନିର୍ବାଚନମଣ୍ଡଳୀ ଅପେକ୍ଷା ଜଗତସିଂହପୁରରେ ୨୦୨୪ ସାଧାରଣ ନିର୍ବାଚନ ନିଶ୍ଚିତପକ୍ଷେ ଦମ୍ଦାର ରହିବ ବୋଲି ଅନୁମାନ କରାଯାଉଛି ।