ନିଜ ନିର୍ବାଚନ ମଣ୍ଡଳୀ ଅର୍ଥାତ ଉତ୍ତର ପ୍ରଦେଶର ବାରାଣାସୀରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୪ ତାରିଖରେ ସେ ବାରାଣାସୀ ଆସନ ପାଇଁ ବିଧିବଦ୍ଧ ଭାବେ ନାମାଙ୍କନ ଦାଖଲ କରିବେ। ୧୪ ତାରିଖ ଦିନ ସେ ସକାଳ ୧୦ ଟା ୧୫ ସମୟରେ କାଳ ଭୈରବୀଙ୍କ ପୂଜାର୍ଚ୍ଚନା କରିବେ। ଏହାପରେ ସେ ୧୧ଟା ବେଳେ ଏନଡିଏ ନେତାଙ୍କ ସହିତ ଏକ ବୈଠକ କରିବା ପରେ ନାମାଙ୍କନ ଭରିବେ ବୋଲି ଜଣାପଡିଛି ।
ସୂଚନା ମୁତାବକ, ଆସନ୍ତା ମେ ୧୩ରେ ରୋଡ ଶୋ’କରି ମୋଦି ବାରାଣାସୀ ଭୋଟରଙ୍କୁ ନିଜର ଶକ୍ତି ପ୍ରଦର୍ଶନ କରିବେ। ଏହାର ଦିନକ ପରେ ଅର୍ଥାତ ମେ’୧୪ରେ ସେ ଲୋକସଭା ନିର୍ବାଚନ ପାଇଁ ସେ ବାରାଣସୀରୁ ସେ ବିଧିବଦ୍ଧ ଭାବେ ନାମାଙ୍କନ ଦାଖଲ କରିବେ। ଜୁନ ୧ ଅର୍ଥାତ ଶେଷ ପର୍ଯ୍ୟାୟରେ ବାରାଣାସୀବାସୀ ଭୋଟ ଦେବେ। ଏଥିପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ମେ ୭ରୁ ଆରମ୍ଭ ହୋଇଥିଲା। ନାମାଙ୍କନ ଦାଖଲର ଶେଷ ତାରିଖ ମେ ୧୪ ହୋଇଥିବା ବେଳେ ମୋଦି ଶେଷ ଦିନ ହିଁ ପ୍ରାର୍ଥିପତ୍ର ଦାଖଲ କରିବେ।
ପ୍ରକାଶ ଥାଉକି, ମୋଦି କ୍ରମାଗତ ତୃତୀୟ ଥର ପାଇଁ ବାରାଣସୀରୁ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି। ୨୦୧୪ ଓ ୨୦୧୯ ରେ ସେ ଏଠାରୁ ବିପୁଳ ଭୋଟରେ ଜିତିଥିଲେ। ଏଥର ମଧ୍ୟ ସେ ରେକର୍ଡ ଭୋଟରେ ଜିତିବା ନେଇ ଆଶା ରଖିଛନ୍ତି। ୨୦୧୯ରେ ମୋଦି ୪,୭୯,୫୦୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।