Odia News Portal

ଭୁବନେଶ୍ୱରରୁ ଲଢିବେ ଶ୍ରୀମୟୀ ମିଶ୍ର

ଭୁବନେଶ୍ୱରରୁ ଲଢିବେ ଶ୍ରୀମୟୀ ମିଶ୍ର । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଶ୍ରୀମୟୀ ମିଶ୍ର ବିଜେଡିରୁ ନିର୍ବାଚନ ଲଢିବା ନେଇ ମନ୍ତ୍ରୀ ଅଶୋକ ପଣ୍ଡା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀମୟୀଙ୍କୁ ଭୁବନେଶ୍ୱରର ପ୍ରାର୍ଥୀ କରିବା ନେଇ ନିଷ୍ପତ୍ତି ନେଇଥିବା ଅଶୋକ ପଣ୍ଡା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସଠିକ୍ ସାବ୍ୟସ୍ଥ କରିବାକୁ ବିଜେଡି କର୍ମୀଙ୍କୁ ଆହ୍ୱାନ କରିଛନ୍ତି ମନ୍ତ୍ରୀ । ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଶ୍ରୀମୟୀଙ୍କୁ ଜିତାଇବା ପାଇଁ ସେ ଆହ୍ୱନ ଦେଇଛନ୍ତି । କିଛି ଦିନ ପୂର୍ବରୁ ଦଳୀୟ କାର୍ୟ୍ୟକ୍ରମରେ ବିଜେଡି କର୍ମୀମାନେ ଶ୍ରୀମୟୀଙ୍କୁ ଭୁବନେଶ୍ୱରର ସାଂସଦ ପ୍ରାର୍ଥୀ କହି ସ୍ଲୋଗାନ ଦେଇଥିଲେ । ଏବେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘୋଷଣା ପରେ ଶ୍ରୀମୟୀ ବିଜେଡିରୁ ପ୍ରାର୍ଥୀ ହେବା ନେଇ ସ୍ପଷ୍ଟ ହୋଇଯାଇଛି । ବିଜେପିରୁ ଅପରାଜିତା ଷଡଙ୍ଗୀ ଭୁବନେଶ୍ୱର ସାଂସଦ ଭାବେ ନିର୍ବାଚନ ହୋଇଛନ୍ତି । ଏଥର ତାଙ୍କୁ ମଧ୍ୟ ଦଳ ପୁଣି ଥରେ ଟିକେଟ ଦେଇପାରେ । ଆଉ ଯଦି ଏଭଳି ହୁଏ ତେବେ ଭୁବନେଶ୍ୱରରେ ଅପରାଜିତା ଏବଂ ଶ୍ରୀମୟୀଙ୍କ ମଧ୍ୟ ଲଢେଇ ହେବ ।

ଭୁବନେଶ୍ୱର ଲୋକସଭା କ୍ଷେତ୍ର ଦୁଇ ଦଶନ୍ଧିରୁ ଅଧିକ ବର୍ଷ ଧରି ଥିଲା ବିଜେଡିର ଗଡ଼ । ୧୯୯୮ରୁ ଲଗାତାର ଏ ଆସନ ଥିଲା ବିଜେଡି ପାଖରେ । ୫ ଥର ଜିତିଥିଲେ ପ୍ରସନ୍ନ ପାଟ୍ଟଶାଣୀ । ୨୦୧୯ରେ ବାଜି ଓଲଟିଗଲା । ଏ ଆସନକୁ ବିଜେଡି ହାତରୁ ଛଡ଼ାଇ ନେଲେ ବିଜେପିର ଅପରାଜିତା ।

ଭୁବନେଶ୍ୱର ଲୋକସଭା କ୍ଷେତ୍ର ଅନ୍ତର୍ଗତ ବିଧାନସଭା ଆସନରେ ବିଜେଡି ବାଜିମାତ୍‌ କରିଥିଲା । ୬-୧ରେ ବିଜେଡି ବିଧାନସଭା ଆସନ ଦଖଲ କରିଥିଲା । ଜଟଣୀ କଂଗ୍ରେସ ଜିତିଥିବାବେଳେ ଗୋଟିଏ ବି ଆସନ ବିଜେପିକୁ ମିଳିନଥିଲା । ହେଲେ ବିଧାନସଭାର ଏତେ ବଡ଼ ବିଜୟ ସତ୍ତେ୍ୱ ଲୋକସଭା ଆସନ ଖସିଯିବାରୁ ବିଜେଡିକୁ ଶକ୍ତ ଆଘାତ ଲାଗିଥିଲା । ଏଥର କ୍ଷତ ଭରଣା କରିବାକୁ ବହୁ ପୂର୍ବରୁ ରଣକୌଶଳ ଆଦରିଛି ବିଜୁ ଜନତା ଦଳ ।

ଗତ ଥର ନିର୍ବାଚନ ପୂର୍ବରୁ ଅରୂପ ପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା । ପ୍ରଚାରରେ ଅରୂପଙ୍କୁ ପଛରେ ପକାଇ ଦେଇଥିଲେ ଅପରାଜିତା। ହେଲେ ଏଥର ବିଜେଡି ବେଶ୍‌ ଆଗୁଆ କସରତ ଆରମ୍ଭ କରିଛି । ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ଭାବେ ଶ୍ରୀମୟୀ ବୁଲୁଛନ୍ତି ସମସ୍ତ ବିଧାନସଭା ଅଞ୍ଚଳରେ । ମହିଳା କାର୍ଡ ଖେଳି ବିଜେଡି ଏଥର ଅପରାଜିତାଙ୍କ ମହିଳା ଭୋଟ କାଟିବାକୁ ଯୋଜନା ଚଳାଇଛି ।