Odia News Portal

ଭୁବନେଶ୍ୱର AIIMS ରେ ଖୋଲିବ ରିଜିଓନାଲ ଫରେନ୍ସିକ ଲାବୋରେଟୋରି

ମୃତ ବ୍ୟକ୍ତିଙ୍କ ଫଟୋରୁ ପରିଚୟ ଖୋଜିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଏ ନେଇ ଭୁବନେଶ୍ୱରସ୍ଥିତ AIIMS ରେ ଆଞ୍ଚଳିକ ଫୋରେନସିକ୍ ଲାବୋରେଟୋରି ପ୍ରତିଷ୍ଠା କରିବାକୁ ଯୋଜନା କରାଯାଉଛି । ଏହା ଦ୍ୱାରା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ବହୁସଂଖ୍ୟକ ମୃତାହତ ହେଲେ ଶବ ଚିହ୍ନଟ ଓ ସଂରକ୍ଷଣରେ ସହାୟତା କରିବ । ଭୂମିକମ୍ପ ଏବଂ ଅନ୍ୟାନ୍ୟ ବିପର୍ୟ୍ୟୟରେ ଅଧିକ ସଂଖକ ମୃତ୍ୟୁ ହେଲେ ଏହି ଲାବରେଟୋରି କାମରେ ଲାଗିବ ବୋଲି ଏମ୍ସ ଆଶା ରଖିଛି ।

ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଏହି ପରୀକ୍ଷାଗାରରେ ଏକକାଳୀନ 100 ରୁ ଊର୍ଦ୍ଧ୍ୱ ମୃତଦେହକୁ ପରିଚାଳନା କରିବା ପାଇଁ ଆବଶ୍ୟକୀୟ ସୁବିଧା ସୁଯୋଗ ଉପଲବ୍ଧ ହେବ । ଏହା ସହ ବିଶାଳ ଶୀତଳଭଣ୍ଡାର ୟୁନିଟ୍ ସହିତ ଏକ କ୍ୟାପାସିଅସ ମର୍ଗ, ଭିସେରା ଉତ୍ତୋଳନ ପାଇଁ ଏକ ଲ୍ୟାବ ଏବଂ ଡିଏନ୍ଏ ପରୀକ୍ଷା ପାଇଁ ଏକ ସ୍ୱତନ୍ତ୍ର ଲ୍ୟାବ ରହିବ । ବିପର୍ଯ୍ୟୟ ସମୟରେ ଚିହ୍ନଟଠାରୁ ଅଧିକ କ୍ଷତିଗ୍ରସ୍ତ ଶବ ଚିହ୍ନଟ ପାଇଁ ଏଆଇର ବ୍ୟବହାର କରାଯିବ ।

ବାହାନଗା ଟ୍ରେନ ଟ୍ରାଜେଡି ଶବ ପରିଚାଳନାର ଏହି ନୂଆ ଦିଗ ପ୍ରତି ଶିକ୍ଷା ଦେଇଛି । ସେଥିଲାଗି ରାଜ୍ୟରେ ରିଜିଓନାଲ ଫରେନ୍ସିକ ଲାବୋରେଟୋରି ସ୍ଥାପନ ପାଇଁ ଯୋଜନା କରୁଛି ଏମ୍ସ ଭୁବନେଶ୍ୱର । ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କହିଛନ୍ତି, ବାହାନଗା ଟ୍ରେନ ଦୁର୍ଘଟଣା ପରେ ଭୁବନେଶ୍ବର ଏମ୍ସକୁ 162 ଟି ମୃତଦେହ ଆସିଥିଲା । ମାତ୍ର 15-20 ଟି ମୃତଦେହ ରଖିବାର ବ୍ୟବସ୍ଥା ଥିବା AIIMSରେ ଏତେ ସଂଖ୍ୟକ ମୃତଦେହକୁ ଦୀର୍ଘଦିନ ସୁରକ୍ଷିତ ଭାବେ ସଂରକ୍ଷିତ ରଖିବା ଥିଲା ସବୁଠୁ ବଡ଼ ଚ୍ୟାଲେଞ୍ଜ । ଖାଲି ସେତିକି ନୁହେଁ, ଶତାଧିକ ମୃତ ଶରୀରର ତତ୍କାଳ ପୋଷ୍ଟ ମର୍ଟମ, ଭିସେରା ପାଇଁ ମଧ୍ୟ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । DNA ପରୀକ୍ଷା ଲାଗି ବ୍ୟବସ୍ଥା ନ ଥିବାରୁ 81 ମୃତ ଶରୀରକୁ ଉପଯୁକ୍ତ ପରିବାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଢେର ଦିନ ଅପେକ୍ଷା କରିବାକୁ ପଡ଼ିଲା । ଆଗାମୀ ଦିନରେ ରାଜ୍ୟରେ ଏଭଳି ଅକସ୍ମାତ ବିପର୍ଯ୍ୟୟ ପରବର୍ତ୍ତୀ ସ୍ଥିତି ମୁକାବିଲା ଉଦ୍ଦେଶ୍ୟରେ ଏମ୍ସରେ ଏକ ଆଞ୍ଚଳିକ ଫରେନ୍ସିକ ଲ୍ୟାବ ସ୍ଥାପନ ପାଇଁ ଯୋଜନା ହୋଇଛି । ଖୁବଶୀଘ୍ର ଏନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ଏମ୍ସ କର୍ତ୍ତୃପକ୍ଷ ।