Odia News Portal

ଜାନୁଆରୀ ୧ରେ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ରାଜଧାନୀରେ ମେଟ୍ରୋ ଟ୍ରେନ ପ୍ରକଳ୍ପ ଆଉ ପାଦେ ଆଗେଇଛି। ନୂଆବର୍ଷ ଅର୍ଥାତ ଜାନୁଆରୀ ୧ରେ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହ ମେଟ୍ରୋ ରେଲ୍ ଡିପିଆରକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଏହି ମେଗା ପ୍ରକଳ୍ପ ପାଇଁ ୫୯୨୯ କୋଟି ବ୍ୟୟବରାଦ କରିଛନ୍ତ ରାଜ୍ୟ ସରକାର। ଏହା  ସହିତ ସପ୍ଲିମେଣ୍ଟାରୀ ବଜେଟରେ ୧୨୦ ଟଙ୍କା  ମଞ୍ଜୁର କରାଯାଇଛି। ତ୍ରିଶୂଳିଆରୁ ଭୁବନେଶ୍ଵର ଏୟାରପୋର୍ଟ ପର୍ୟ୍ୟନ୍ତ ମେଟ୍ରୋ ଗଡ଼ିବ। ଏହା ମଧ୍ୟରେ ୧୦ଟି ଷ୍ଟେସନ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।

ନୂଆ ପରିକଳ୍ପନା ଅନୁସାରେ, ରାସ୍ତାରୁ ପ୍ରାୟ ୮ ମିଟର (ପ୍ରାୟ ୨୬.୨୪ ଫୁଟ୍‌) ଉପରେ ରହିବ ଫ୍ଲାଏଓଭର । ତା’ ଉପରେ ଯିବ ମେଟ୍ରୋ । ମାଟିରୁ ୧୪ ମିଟର ଉପରେ (ପ୍ରାୟ ୪୬ ଫୁଟ) ମେଟ୍ରୋ ରେଳ ପଥ ରହିବ । ଏସବୁ ଦିଗକୁ ଲକ୍ଷ୍ୟ କରି ମେଟ୍ରୋ ପାଇଁ ଡିପିଆର୍‌ରେ ପ୍ରସ୍ତୁତ କରାଯାଇଛି । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ କଟକ ତ୍ରିଶୁଳିଆ ଛକ ପର୍ୟ୍ୟନ୍ତ ୨୬ କିଲୋମିଟର ମେଟ୍ରୋ ରେଳ ପଥ ପାଇଁ ଡିପିଆର୍‌ ପ୍ରସ୍ତୁତ କରାଯାଇଛି। 
ଅପରପକ୍ଷରେ ମେଟ୍ରୋ ପ୍ରକଳ୍ପ ପ୍ରଥମ ପର୍ୟ୍ୟାୟରେ ବିମାନବନ୍ଦରରୁ କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ ଛକ, ବାପୁଜୀନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମ ମନ୍ଦିର ଛକ, ବାଣୀବିହାର, ଆଚାର୍ୟ୍ୟବିହାର ଛକ, ଜୟଦେବବିହାର, ଜାଭିୟର ଛକ, ରେଳ ସଦନ, ଡ୍ରିଷ୍ଟିକ ସେଣ୍ଟର, ଡମଣା ଛକ, ପଟିଆ ଛକ, କିଟ୍‌ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ଫୁଲପୋଖରୀ ଦେଇ ତ୍ରିଶୁଳିଆ ଛକରେ ପହଞ୍ଚିବ । ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ପର୍ୟ୍ୟନ୍ତ ୨୬ କିଲୋମିଟର ମେଟ୍ରୋ ପଥ ପ୍ରାୟତଃ ମେଡିଆନ୍‌ ଉପରେ ନିର୍ମାଣ ହେବ ।  ପ୍ରିକାଷ୍ଟ ଟେକ୍ନୋଲୋଜିରେ ନିର୍ମାଣ କାର୍ୟ୍ୟ କରାଯିବ ।