Odia News Portal

ସାପ କାମୁଡ଼ାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ଜଳେଶ୍ୱର ବ୍ଲକ ଚମାର ଗାଁ ପଞ୍ଚାୟତ ଘୋଳାଇ ଗ୍ରାମର ଜଣେ ଶିକ୍ଷୟିତ୍ରୀ ସାପ କାମୁଡ଼ାରେ ଗୁରୁତର ହୋଇ କଟକ ସ୍ଥାନାନ୍ତର ହେଉଥିବା ବେଳେ ସୋର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଶିକ୍ଷୟିତ୍ରୀ ହେଲେ ସୁମିତ୍ରା କର (୫୦)। ସୁମିତ୍ରା ଘୋଳାଇ ନିତ୍ୟାନନ୍ଦ ୟୁଜି ଏମଇ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ। ଗତକାଲି ବିଳମ୍ବିତ ରାତିରେ ସେ ଶୋଇଥିବା ବେଳେ ଏକ ବିଷଧର ସାପ ତାଙ୍କୁ ଦଂଶନ କରିଥିଲା। ଏ ବାବଦରେ ଜାଣିପାରି ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

କଟକ ଯାଉଥିବା ବେଳେ ସୋର ନିକଟରେ ତାଙ୍କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେବାରୁ ତାଙ୍କୁ ସୋର ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।