Odia News Portal

ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ଲାଞ୍ଚ ନେଉଥିଲେ , ଧରିଲା ଭିଜିଲାନ୍ସ

ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ଲାଞ୍ଚ ନେଉଥିଲେ,ଧରିଲା ଭିଜିଲାନ୍ସ ।୨୦୨୩ ମସିହାରୁ ନିଯୁକ୍ତି ମିଳିଥିଲେ ମଧ୍ୟ ଟଙ୍କା ମାଗୁଥିଲେ ସିଡ଼ିପିଓ । ଭଦ୍ରକ ସିଡ଼ିପିଓଙ୍କ ସହ ଜଣେ ଅଙ୍ଗନବାଡି ସୁପରଭାଇଜର ମଧ୍ୟ ଭିଜିଲାନ୍ସ କବଜାରେ ଧରାପଡିଛନ୍ତି।
ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ସରଗଡ଼ିଆ ଗାଁର ପ୍ରଶାନ୍ତ ସେଠୀଙ୍କ ଝିଆରୀ ଇତିଶ୍ରୀ ସେଠି ୧୪.୦୭.୨୦୨୩ ରେ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି ପାଇଛନ୍ତି । ନିଯୁକ୍ତି ପତ୍ର ପାଇବା ପରେ ମଧ୍ୟ ଭଦ୍ରକ ସିଡ଼ିପିଓ ସୁନନ୍ଦା ଦାସ ୫୦ ହଜାର ଟଙ୍କା ମାଗୁଥିଲେ ।

ଏନେଇ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କୁ ଅଭିଯୋଗ ହୋଇଥିଲା । ଗତକାଲି ରାତିରେ ୧୦ ହଜାର ଟଙ୍କା ପାଇଁ ଡିଲ ହୋଇଥିଲା । ଆଜି ସିଡ଼ିପିଓ ସୁନନ୍ଦା ଦାସ ଇତିଶ୍ରୀଙ୍କୁ ଡିଏସଡବ୍ଲ୍ୟୁଓ ଅଫିସ ନିକଟରେ ଟଙ୍କା ଦେବା ପାଇଁ କହିଥିଲେ । ସେଠାରେ ଜଣେ ସୁପରଭାଇଜର ସୁଲୋଚନା ବେହେରାଙ୍କୁ ଟଙ୍କା ଦେବା ପାଇଁ କହିଥିଲେ । ପରେ ଟଙ୍କା ଦେବା ପରେ ସୁନନ୍ଦାଙ୍କ ସହ ସୁପରଭାଇଜର ସୁଲୋଚନାଙ୍କୁ ଭିଜିଲାନ୍ସ ଟିମ କାବୁ କରିଥିଲା । ତାଙ୍କ ନିକଟରୁ ନଗଦ ୧୦ ହଜାର ଟଙ୍କା ଜବତ ହୋଇଛି । ଉଭୟଙ୍କୁ ଭିଜିଲାନ୍ସ ଗିରଫ କରିଛି ।