ଷ୍ଟାଫ୍ ସିଲେକ୍ସନ କମିଶନର ସିଜିଏଲ ପ୍ରଶ୍ନପତ୍ର ଡିଲ୍ ଅଭିଯୋଗ ପରେ ବଡ଼ ଧରଣର ଠକେଇ ରାକେଟର ପର୍ଦ୍ଦାଫାସ କରିଛି ପୁଲିସ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଏକ ହୋଟେଲରେ ଚଢ଼ଉ ବେଳେ ଜଣେ ମହିଳାଙ୍କ ସହ ୯ ଜଣଙ୍କୁ ଗିରଫ କରାଯାଇଛି । ସାଇବର ଟିମ୍ ଓ ମେରାଇନ୍ ଥାନା ପୁଲିସର ଚଢ଼ଉ ବେଳେ ଏହି ସଫଳତା ମିଳିଛି । ସେମାନଙ୍କଠାରୁ ୬ଟି କାର ସହ ଗୋଟିଏ ବସ୍, ଅନେକ
ସାର୍ଟିଫିକେଟ ଜବତ କରିଛି ପୁଲିସ । ଏଥି ସହିତ ୧୫ଟି ମୋବାଇଲ୍ ଫୋନ, ସାଇନ ହୋଇଥିବା ଏକାଧିକ ବ୍ଲାଙ୍କ ଚେକ ଓ ନଗଦ ୨୨,୫୦୦ ଟଙ୍କା ଜବତ କରିଛି ପୁଲିସ୍ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ବାଣ୍ଟୁଥିଲେ ଅଭିଯୁକ୍ତ । ଚାକିରି ପରେ କ୍ୟାଣ୍ଡିଡେଟ୍ ପିଛା ୮ରୁ ୧୬ ଲକ୍ଷ ଟଙ୍କା ନେଉଥିଲେ । ତେବେ ପ୍ରଶ୍ନପତ୍ର ଲିକ୍ ହୋଇନଥିବା ବାଲେଶ୍ୱର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ କ୍ୟାଣ୍ଡିଡେଟଙ୍କୁ ଦେଉଥିବା ପ୍ରଶ୍ନପତ୍ର ଅରିଜନାଲ ପ୍ରଶ୍ନପତ୍ର ସହ ମେଳଖାଉନଥିବା ଏସ୍ପି କହିଛନ୍ତି ।
ଏସ୍ପି ଆହୁରି କହିଛନ୍ତି, ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ ଭିତରେ ୩ ଜଣଙ୍କ ହେଉଛନ୍ତି ମୁଖ୍ୟ କାର୍ପଟଦାର । ସେମାନଙ୍କ ଭିତରେ ଜଣେ ଓଡ଼ିଶାର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆନ୍ଧ୍ରପ୍ରଦେଶ ଓ ବିହାର । ତେବେ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି, ତାହା ଉପରେ ତଦନ୍ତ ଚାଲିଛି ବୋଲି ଏସ୍ପି କହିଛନ୍ତି ।