ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍(୧)ଙ୍କ କୋର୍ଟରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ମାମଲାର ଶୁଣାଣି ହୋଇଛି। ବିଚାରପତି ସୁରେଶ ଚନ୍ଦ୍ର ପ୍ରଧାନ ଏହାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି। ଏହା ସହିତ ୫ହଜାର ଟଙ୍କା ଜରିମାନା କରିଥିବା ବେଳେ ଜରିମାନା ଅନାଦେୟ ଅଧିକ ୬ମାସ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ଝାରପୋଖରୀଆ ଥାନା ପାକଟିଆ ଗ୍ରାମର ଜଗନ୍ନାଥ ନାଏକ(୩୩)।
ସୂଚନା ଅନୁଯାୟୀ, ଭାଉଜଙ୍କ ବାପ ଘରର ଜମିକୁ ଦିଅର ଜଗନ୍ନାଥ ଚାଷ କରୁଥିଲା। ଜମିରୁ ଚାଷ ହୋଇଥିବା ଧାନକୁ ବିକିବା ପରେ ଉପାର୍ଜିତ ଅର୍ଥ ପ୍ରଦାନ କରିବା ପାଇଁ ଭାଉଜ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ଗତ ୨୦୧୯ ଜାନୁଆରୀ ୧୩ତାରିଖ ରାତି ପ୍ରାୟ ୯ଟା ବେଳେ ଜଗନ୍ନାଥ ଓ ତାଙ୍କ ମା’ ରାଇମଣିଙ୍କ ସହିତ ମିଶି ଏକ ମାରଣାସ୍ତ୍ରରେ ଭାଉଜକୁ ହତ୍ୟା କରିଥିଲେ। ଏହାକୁ ନେଇ ଝାରପୋଖରିଆ ଥାନାରେ ମୃତକଙ୍କ ମା’ ବାସନ୍ତୀ ସିଂ ତହିଁ ପରଦିନ ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ କେଶ ନମ୍ବର ୩/୨୦୧୯ରେ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଥିଲା ।