ଦୋକାନ ଭିତରେ ଜଣେ ଯୁବକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ ହେଲେ ଲିଙ୍ଗରାଜ ଥାନା ଅନ୍ତର୍ଗତ କପିଳେଶ୍ୱର ବଢେଇସାହିର ପୂର୍ଣ୍ଣଚନ୍ଦ୍ର ହଜାରୀ । ପୁଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ଜଣାପପଡ଼ିନଥିବାବେଳେ ପୁଲିସ ବ୍ୟବେଚ୍ଛଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି । ସୂଚନାଯୋଗ୍ୟ, ପୂର୍ଣ୍ଣଚନ୍ଦ୍ରଙ୍କର ସାମନ୍ତାରାପୁରରେ ଏକ ଓମଫେଡ୍ ଦୋକାନ ରହିଛି । ରବିବାର ସକାଳେ ଦୋକାନ ଖୋଲିବା ପରେ ମାଛ କିଣି ଘରେ ଦେଇ ଆସିଥିଲେ । ତେବେ ପୂର୍ବାହ୍ଣ ୧୧ଟା ବେଳେ ସେ ଏକ ପ୍ଲାଷ୍ଟିକ ରଶି ଦ୍ୱାରା ନିଜ ଦୋକାନ ଭିତରେ ରଶି ଲଗାଇ ଝୁଲି ପଡ଼ିଥିଲେ । ଦୋକାନକୁ ଆସିଥିବା କିଛି ଲୋକେ ତାଙ୍କୁ ଝୁଲନ୍ତା ଅବସ୍ଥା ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।