ବ୍ୟାଙ୍କରେ ସାଧାରଣ ଲୋକ ଓ ସଂସ୍ଥାଗୁଡ଼ିକ ଯେଉଁ ଟଙ୍କା ଜମା କରୁଛନ୍ତି ତାହାକୁ ବିଭିନ୍ନ କାର୍ଯ୍ୟରେ ବ୍ୟାଙ୍କଗୁଡ଼ିକ ବ୍ୟବହାର କରୁଛନ୍ତି। ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ବ୍ୟାଙ୍କରେ ଥିବା ପ୍ରତି ୧୦୦ ଟଙ୍କାର ଜମା ରାଶିରୁ ସର୍ବାଧିକ ୪୫ ଟଙ୍କା ୬୨ ପଇସା ରିଟେଲ୍ ଋଣ ଭାବେ ପ୍ରଦାନ କରାଯାଉଛି। ୩୭ ଟଙ୍କା ୧୬ ପଇସାକୁ ସେବା କ୍ଷେତ୍ରକୁ ଦିଆଯାଉଛି। ଅବଶିଷ୍ଟ ଟଙ୍କା ମଧ୍ୟରୁ ୧୦ ଟଙ୍କା ୭ ପଇସା କୃଷି କ୍ଷେତ୍ରକୁ ଯାଉଥିବା ବେଳେ ଶିଳ୍ପ କ୍ଷେତ୍ରକୁ ୧୦.୫୮ ଟଙ୍କା ଦିଆଯାଉଛି।
ରିଜର୍ଭ ବ୍ୟାଙ୍କ ସୂଚନା ଅନୁଯାୟୀ ୨୦୨୨ର ଏପ୍ରିଲ୍ରୁ ୨୦୨୩ ଜାନୁଆରି ମଧ୍ୟରେ ବ୍ୟାଙ୍କଗୁଡ଼ିକ ଯେତିକି ଜମା ସଂଗ୍ରହ କରିନାହାନ୍ତି ସେହି ତୁଳନାରେ ଅଧିକ ରାଶି ଋଣ ଦେଇଛନ୍ତି। ଏହି ୧୦ ମାସରେ ବ୍ୟାଙ୍କଗୁଡ଼ିକ ୧୨.୫୩ ଲକ୍ଷ କୋଟି ଟଙ୍କାର ଜମା ସଂଗ୍ରହ କରିଥିବା ବେଳେ ଋଣ ଆକାରରେ ୧୪.୫୦ ଲକ୍ଷ କୋଟି ଟଙ୍କା ଦେଇଥିଲେ। ଜମା ଜରିଆରେ ଋଣ ଚାହିଦା ପୂରଣ କରିବା ସମ୍ଭବପର ହେଉନଥିବାରୁ ବ୍ୟାଙ୍କଗୁଡ଼ିକ ବଜାରରୁ ଋଣ ଆଣିବାକୁ ବାଧ୍ୟ ହେଉଛନ୍ତି। ୨୦୨୩ ଜାନୁଆରିରେ ଦେଶରେ ଋଣ ଜମା ଅନୁପାତ ୧୧୬ ପ୍ରତିଶତକୁ ବୃଦ୍ଧି ପାଇଛି। ଅର୍ଥାତ ବ୍ୟାଙ୍କଗୁଡ଼ିକ ୧୦୦ ଟଙ୍କା ଜମା ସଂଗ୍ରହ କରୁଥିବା ବେଳେ ୧୧୬ ଟଙ୍କାର ଋଣ ଦେଉଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ହାର ୬୬.୫୪ ପ୍ରତିଶତ ଏବଂ ୨୦୨୦-୨୧ରେ ୩୫.୪ ପ୍ରତିଶତ ଭଳି ନିମ୍ନ ସ୍ତରରେ ଥିଲା।
କରୋନା ମହାମାରୀ ପରେ ବ୍ୟାଙ୍କ ଦେଉଥିବା ଋଣ ଢାଞ୍ଚାରେ ପରିବର୍ତ୍ତନ ହୋଇଛି। ସେମାନେ ଏବେ ପାଣ୍ଠିକୁ ଏଭଳି କ୍ଷେତ୍ରକୁ ଦେବାକୁ ଚାହୁଛନ୍ତି ଯେଉଁଠାରେ ଋଣ ବୁଡ଼ିବାର ବିପଦ କମ୍ ରହୁଛି ଏବଂ ଅଧିକ ରିଟର୍ଣ୍ଣ ମିଳୁଛି। ସେଥିପାଇଁ ରିଟେଲ୍ ଋଣ ଭାବେ ଅଧିକ ରାଶି ଆବଣ୍ଟନ କରାଯାଉଛି। ଏବେ ସେମାନେ କ୍ଷୁଦ୍ର ବ୍ୟବସାୟୀ ଓ ବଡ଼ କଂପାନିଙ୍କୁ ମଧ୍ୟ ଋଣ ଦେବା ଆରମ୍ଭ କରିଛନ୍ତି। ବ୍ୟାଙ୍କଗୁଡ଼ିକ ଋଣ ଦେବା ବେଳେ ସତର୍କତା ଅବଲମ୍ବନ କରୁଛନ୍ତି। ଜମା ସଂଗ୍ରହ ବଢ଼ାଇବା ଲାଗି ଜମା ସୁଧ ବୃଦ୍ଧି ମଧ୍ୟ ଆରମ୍ଭ ହୋଇଛି।