Odia News Portal

ଭଗବାନ ଶିବଙ୍କର ୫ ପ୍ରମୁଖ ରହସ୍ୟ…

ଭୁବନେଶ୍ବର: ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ | ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି | ଠିକ ସେହିଭଳି ଶିବ ମଧ୍ୟ ଅନାଦି, ତାଙ୍କର ନା ଆଦି ଅଛି ନା ଅନ୍ତ | ଶିବଙ୍କ ମଧ୍ୟରେ ସାରା ବ୍ରହ୍ମାଣ୍ଡ ନିହିତ | ଯେତେବେଳେ କିଛି ନଥିଲା ସେତେବେଳେ ଶିବ ଥିଲେ, ଯେତେବେଳେ କିଛି ରହିବନି ସେତେବେଳେ ବି ସେ ରହିବେ |ତେବେ ଆସନ୍ତୁ ଜାଣିବା ଭଗବାନ ଶିବଙ୍କ ୫ଟି ମୁଖ୍ୟ ରହସ୍ୟ:-

ଶିବଙ୍କ ବେକରେ ସର୍ପ:- ଶିବଙ୍କ ମସ୍ତକରେ ଗୋଟିଏ ପଟେ ଚନ୍ଦ୍ର ଥିବାବେଳେ ଅନ୍ୟପଟେ ମହା ବିଷଧର ସାପ | ବିଷଧର ସାପ ଶିବଙ୍କ ବେକରେ ହାର ଭଳି ଗୁଡେଇ ହୋଇ ରହିଥାଏ | ଭଗବାନ ଶିବଙ୍କ ବେକରେ ଗୁଡେଇ ହୋଇଥିବା ସାପ ହେଲେ ନାଗରାଜା ବାସୁକୀ | ବାସୁକୀ ନାଗ କଶ୍ୟପ ଋଷିଙ୍କ ପୁତ୍ର ଥିଲେ | ସେ ଶିବଙ୍କ ପରମ ଭକ୍ତ ବୋଲି କୁହାଯାଏ ।

ଶିବଙ୍କ ମଥାରେ ଚନ୍ଦ୍ରମା:- ଶିବଙ୍କ ମସ୍ତକରେ ଚନ୍ଦ୍ରମା ଶୋଭା ପାଇଥାଏ | ଏହାକୁ ନେଇ ମଧ୍ୟ ଏକ ବିଶ୍ୱାସ ରହିଛି | ମହାରାଜା ଦକ୍ଷ ଚନ୍ଦ୍ରମାଙ୍କୁ କ୍ଷୟ ରୋଗର ଅଭିଶାପ ଦେଇଥିଲେ | ଏହି ରୋଗରୁ ବଞ୍ଚିବା ପାଇଁ ଚନ୍ଦ୍ରମା ଭଗବାନ ଶିବଙ୍କୁ ଆରାଧନା କରିଥିଲେ | ଚନ୍ଦ୍ରମାଙ୍କ ଭକ୍ତିରୁ ପ୍ରସନ୍ନ ହୋଇ ଏବଂ ତାଙ୍କ ସୁରକ୍ଷା ପାଇଁ ଶିବ ଚନ୍ଦ୍ରମାଙ୍କୁ ନିଜ ମସ୍ତକରେ ଧାରଣ କରିଥିଲେ |

ଶିବଙ୍କ ଶରୀରରେ ଭସ୍ମ:- ଭଗବାନ ଶିବ ଅନ୍ୟ ଭଗବାନଙ୍କ ଭଳି ଆଭୂଷଣ ଧାରଣ କରନ୍ତିନି | ଆଭୂଷଣ ବଦଳରେ ସେ ନିଜ ଶରୀରରେ ଭସ୍ମ ଲେପନ କରିଥାନ୍ତି । ସଂସାରର ଆକର୍ଷଣ ଠାରୁ ବହୁ ଦୂରରେ ଶିବ | ମୋହ ମାୟା ତାଙ୍କ ପାଇଁ ଭସ୍ମ ଠାରୁ ଅଧିକ ନୁହେଁ |

ମହାଦେବଙ୍କ ତ୍ରିନେତ୍ର:- ମହାଦେବଙ୍କର ତିନିଟି ନେତ୍ର | ସେଥିପାଇଁ ତାଙ୍କୁ ତ୍ରିନେତ୍ର ମଧ୍ୟ କୁହାଯାଏ | ସେ ଯେତେବେଳେ ନିଜର ତୃତୀୟ ନୟନ ଖୋଲନ୍ତି ସେତେବେଳେ ସାରା ସଂସାରର ବିନାଶ ହୋଇଯାଏ | ସୃଷ୍ଟିର ବିନାଶ ପାଇଁ ସେ ନିଜର ତୃତୀୟ ନୟନ ପ୍ରୟୋଗ କରିଥାନ୍ତି |

ଶିବଙ୍କ ତାଣ୍ଡବ ନୃତ୍ୟ:- ଭଗବାନ ଶିବଙ୍କ ତାଣ୍ଡବ ନୃତ୍ୟକୁ ନେଇ ଅଧିକାଂଶ ଲୋକ ପୁରା ରହସ୍ୟ ଜାଣିନଥାନ୍ତି | ଅଧିକାଂଶ ଲୋକ ଭାବନ୍ତି ତାଣ୍ଡବ ନୃତ୍ୟ ଭଗବାନ ଶିବଙ୍କ କ୍ରୋଧ ସହ ଜଡିତ | ରୌଦ୍ର ତାଣ୍ଡବ କରୁଥିବା ଶିବଙ୍କ ଆଉ ଏକ ନାମ ରୁଦ୍ର | କିନ୍ତୁ ଶିବଙ୍କ ଆଉ ଏକ ତାଣ୍ଡବ ନୃତ୍ୟ ଆନନ୍ଦ ପ୍ରଦାନ ମଧ୍ୟ କରିଥାଏ | ଏହାକୁ ଆନନ୍ଦ ତାଣ୍ଡବ କୁହାଯାଏ | ଆନନ୍ଦ ତାଣ୍ଡବ କରୁଥିବା ଶିବଙ୍କୁ ନଟରାଜ କୁହାଯାଏ |